ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଏବଂ ସ୍କିଲ୍ ଡେଭଲପମେଣ୍ଟ ପ୍ରତିଷ୍ଠାନରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାର କଡ଼ା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ପରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି।
OSDMA ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଜାରି ହୋଇଥିବା ନିର୍ଦ୍ଦେଶରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ତୁରନ୍ତ ତୃଣମୂଳସ୍ତରରୁ ଯାଞ୍ଚ କରିବାକୁ କୁହାଯାଇଛି। ଫାୟାର ସେଫ୍ଟି ସାର୍ଟିଫିକେଟ୍, ଏନଓସି ଏବଂ ଅନ୍ୟାନ୍ୟ ସୁରକ୍ଷା ନିୟମର ପାଳନ ହେଉଛି କି ନାହିଁ, ତାହା ତଦାରଖ କରାଯିବ।
ବିଶେଷ କରି ବହୁତଳ କୋଠା, ଭିଡ଼ଭାଡ଼ ଅଞ୍ଚଳରେ ଚାଲୁଥିବା ଶିକ୍ଷାନୁଷ୍ଠାନ ଏବଂ ଭଡ଼ା ଘରେ ଚାଲୁଥିବା କୋଚିଂ ସେଣ୍ଟରଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଫାୟାର ଏକ୍ସଟିଙ୍ଗୁଇସର, ସ୍ମୋକ୍ ଡିଟେକ୍ଟର, ଆଲାର୍ମ ସିଷ୍ଟମ, ଏମର୍ଜେନ୍ସି ଲାଇଟ୍ ଭଳି ଉପକରଣଗୁଡ଼ିକ କାର୍ଯ୍ୟକ୍ଷମ ଅଛି କି ନାହିଁ, ତାହାର ଯାଞ୍ଚ କରାଯିବ।
ସେହିପରି ଜରୁରୀକାଳୀନ ସମୟରେ ନିରାପଦ ସ୍ଥାନକୁ ବାହାରିବା ପାଇଁ ଥିବା ରାସ୍ତା, ସିଢ଼ି ଓ ଏଗ୍ଜିଟ୍ ଗୁଡ଼ିକ ଅବରୋଧମୁକ୍ତ ରହିବାକୁ ନିଶ୍ଚିତ କରାଯିବ। ପ୍ରତ୍ୟେକ ଅନୁଷ୍ଠାନରେ ଏମର୍ଜେନ୍ସି ଇଭାକୁଏସନ୍ ପ୍ଲାନ୍ ପ୍ରଦର୍ଶନ କରିବା ସହ ନିୟମିତ ମକ୍ ଡ୍ରିଲ୍ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ରହିଛି।
OSDMA କହିଛି, ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ କୌଣସି ପ୍ରକାର ଆପୋଷ ବୁଝାମଣା କରାଯିବ ନାହିଁ। ଯେଉଁ ଅନୁଷ୍ଠାନରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଅପର୍ଯ୍ୟାପ୍ତ ଥିବ, ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲ୍ଲାପାଳମାନଙ୍କୁ ୧୫ ଦିନ ମଧ୍ୟରେ କେତେ ସଂସ୍ଥା ଯାଞ୍ଚ ହେଲା, କେଉଁ ତ୍ରୁଟି ଧରାପଡ଼ିଲା ଏବଂ କଣ ସଂଶୋଧନମୂଳକ ପଦକ୍ଷେପ ନିଆଗଲା, ସେ ସମ୍ପର୍କିତ ଆକ୍ସନ ଟେକନ୍ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏହି ପଦକ୍ଷେପ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଗ୍ନି ସୁରକ୍ଷାକୁ ଆହୁରି ମଜବୁତ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ଶିକ୍ଷା ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।