ଭୁବନେଶ୍ୱର: ଆଜି ବିଜୁ ଜନତା ଦଳରେ ମିଶିପାରନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଦଳୀୟ ମୁଖ୍ୟାଳୟ ଶଙ୍ଖ ଭବନରେ ଏକ ବଡ଼ ବୈଠକ ଡାକିଛନ୍ତି । ଏହି ବୈଠକରେ ନବୀନ ସୁଜାତାଙ୍କ ଯୋଗଦାନ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ସୁଜାତାଙ୍କ ଯୋଗଦାନ ନେଇ ଦଳ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।
ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳେ ଦଳୀୟ ନେତା ମନ୍ମଥ ରାଉତରାୟ କହିଥିଲେ ଯେ ଆମ ସମସ୍ତଙ୍କର ଇଚ୍ଛା ସୁଜାତା ପାଣ୍ଡିଆନ ବିଜେଡ଼ିକୁ ଆସନ୍ତୁ । ସୁଜାତା ଦଳକୁ ଆସିବା ଶତ ପ୍ରତିଶତ ସତ ଅଟେ । ଯଦି ସେ ଦଳକୁ ଆସନ୍ତି ତାଙ୍କୁ ରେଡ୍ କାର୍ପେଟ୍ ଉପରେ ସ୍ୱାଗତ କରାଯିବ । ତାଙ୍କର ଦକ୍ଷତା, ଜ୍ଞାନ, ବୁଦ୍ଧି ଏବଂ ଅନୁଭବ ସରକାରୀ ଦଳର ସିଷ୍ଟମକୁ ଦୋହଲାଇ ଦେବ ବୋଲି କହିଥିଲେ ମନ୍ମଥ । ମନ୍ମଥ ରାଉତରାୟଙ୍କ ମନ୍ତବ୍ୟରେ ପ୍ରଶାନ୍ତ ମୁଦୁଲି ଏକମତ ପ୍ରକାଶ କରିଥିଲେ ।