ମାଲକାନଗିରି: ବିଷାକ୍ତ ସାପକୁ ଧରି ମେଡ଼ିକାଲରେ ପହଁଚିଗଲେ ମହିଳା । ସାପ କାମୁଡ଼ିବା ପରେ ସେହି ସାପକୁ ଧରି ସିଧା ମେଡ଼ିକାଲରେ ପହଁଚିଛନ୍ତି ମହିଳା । ଏଭଳି ଦୃଶ୍ୟ ଦେଖିବା ମାଲକାନଗିରି ଜିଲ୍ଲା ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ।
ମାଥିଲି ଥାନା ଅନ୍ତର୍ଗତ କୁରୁମପାଲି ଗ୍ରାମର ମଣିମା ନାୟକ ନାମକ ଜଣେ ମହିଳା ରାତିରେ ଘରେ ଭିତରେ ଶୋଇଥିଲେ। ତାଙ୍କ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ହେବାରୁ ହଠାତ୍ ନିଦ ଭାଙ୍ଗି ଯାଇଥିଲା । ଏହା ପରେ ସେ ଘର ଭିତରେ ଏକ ବିଷଧର ସାପକୁ ଦେଖିଥିଲେ । ନିଜର ଉପସ୍ଥିତି ବୁଦ୍ଧି ଖଟାଇ ତୁରନ୍ତ ଉକ୍ତ ସାପଟିକୁ କୌଶଳ କ୍ରମେ ଏକ ଡବାରେ ଭର୍ତ୍ତି କରି ଦେଇଥିଲେ । ଡାକ୍ତର ସାପ ଦେଖିଲେ କେଉଁ ସାପ ଜାଣିପାରିବେ ଭାବି ମଣିମା ଏଭଳି ଦୁଃସାହାସିକ ପଦକ୍ଷେପ ନେଇଥିଲେ । ଏହା ପରେ ଉକ୍ତ ସାପକୁ ଧରି ସିଧା ମାଥିଲି ମେଡ଼ିକାଲରେ ପହଁଚିଯାଇଥିଲେ ।
ଡାକ୍ତର ସାପକୁ ଦେଖିବାକୁ ପରେ ଆତଙ୍କିତ ହୋଇଯାଇଥିଲେ । ସାପକୁ ଚିହ୍ନଟ କରିବା ସେହି ଅନୁସାରେ ମହିଳାଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଥିଲା । ବର୍ତ୍ତମାନ ମହିଳା ଜଣକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।