ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ରାଜନୀତିରେ ଏବେ ଏକ ଚାଞ୍ଚଲ୍ୟକର ଦାବିକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଇସ୍ରାଏଲର ଗୁପ୍ତଚର ସଂସ୍ଥା 'ମୋସାଦ୍'ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଆସିମ ମୁନୀରଙ୍କୁ ହତ୍ୟା କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। କିନ୍ତୁ ପାକିସ୍ତାନ ସେନା ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିବା ସହ ଇସ୍ରାଏଲକୁ ବିଶ୍ୱ ମାନଚିତ୍ରରୁ ପୋଛି ଦେବାକୁ ଧମକ ଦେଇଥିଲା। ଜଣେ ବ୍ରାଜିଲୀୟ ସାମ୍ବାଦିକଙ୍କ ଏଭଳି ବିସ୍ଫୋରକ ଦାବି ପରେ ଏବେ ସାରା ବିଶ୍ୱରେ ହଲଚଲ ସୃଷ୍ଟି ହୋଇଛି।
ବ୍ରାଜିଲର ଭୂ-ରାଜନୈତିକ ବିଶ୍ଳେଷକ ତଥା ସାମ୍ବାଦିକ ପେପେ ଏସ୍କୋବାର ଏକ ପଡକାଷ୍ଟରେ ଏହି ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ସୁଇଜରଲ୍ୟାଣ୍ଡର ଜେନେଭାଠାରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ମଧ୍ୟସ୍ଥତା କରିବାକୁ ପାକିସ୍ତାନର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସେଠାକୁ ଯାଇଥିଲେ। ଏହି ଦଳରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ପାକ୍ ସେନା ମୁଖ୍ୟ ଆସିମ ମୁନୀର ମଧ୍ୟ ସାମିଲ ଥିଲେ। ଏହି ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନିର୍ଦ୍ଦେଶରେ ମୋସାଦ୍, ଆସିମ ମୁନୀର ଏବଂ ପାକିସ୍ତାନୀ ପ୍ରତିନିଧି ମଣ୍ଡଳୀ ଉପରେ ଆକ୍ରମଣ କରି ସେମାନଙ୍କୁ ସମାପ୍ତ କରିବାକୁ ଯୋଜନା କରିଥିଲା।
ସାମ୍ବାଦିକଙ୍କ କହିବା ଅନୁସାରେ, ପାକିସ୍ତାନର ମିଲିଟାରୀ ଇଣ୍ଟେଲିଜେନ୍ସ ଏହି ଗୁପ୍ତ ସୂଚନାକୁ ମଝିରେ ଟ୍ରାକ୍ କରି ଦେଇଥିଲା। ସୂଚନା ମିଳିବା ମାତ୍ରେ ପାକିସ୍ତାନ ଏକ ମଧ୍ୟସ୍ଥ ଦେଶ ଜରିଆରେ ସିଧାସଳଖ ଇସ୍ରାଏଲକୁ କଡ଼ା ଭାଷାରେ ବାର୍ତ୍ତା ପଠାଇଥିଲା। ପାକିସ୍ତାନର ଚେତାବନୀ ଯଦି ତୁମେ ଆମ ପ୍ରତିନିଧି ଦଳର ଗୋଟିଏ ବି ସଦସ୍ୟଙ୍କୁ ସ୍ପର୍ଶ କରିଛ, ତେବେ ଆମେ ଇସ୍ରାଏଲକୁ ବିଶ୍ୱ ମାନଚିତ୍ରରୁ ସମ୍ପୂର୍ଣ୍ଣ ଭାବେ ପୋଛି ଦେବୁ।
ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ହେଉଛି ଏକମାତ୍ର ମୁସଲିମ ରାଷ୍ଟ୍ର ଯାହା ପାଖରେ ପରମାଣୁ ବୋମା ରହିଛି। ସେଥିପାଇଁ ଏହି ଧମକକୁ ପରମାଣୁ ଆକ୍ରମଣର ଚେତାବନୀ ବୋଲି ଧରାଯାଉଛି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପାକିସ୍ତାନୀ କର୍ତ୍ତୃପକ୍ଷ ଏବଂ ସେଠାକାର ବରିଷ୍ଠ ସାମ୍ବାଦିକମାନେ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ବୋଲି କହିଛନ୍ତି।
ପାକିସ୍ତାନର ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ସେନା ମୁଖ୍ୟଙ୍କ ସୁଇଜରଲ୍ୟାଣ୍ଡ ଗସ୍ତ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା ଏବଂ ସେଭଳି କୌଣସି ସୁରକ୍ଷା ଆଲର୍ଟ ଜାରି କରାଯାଇ ନଥିଲା। ଏହି ଦାବିରେ କୌଣସି ସତ୍ୟତା ନାହିଁ। ଇସ୍ରାଏଲ କିମ୍ବା ପାକିସ୍ତାନ ପକ୍ଷରୁ ଏହା ଉପରେ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ।