କାରାକାସ୍: ଭେନେଜୁଏଲାରେ ପ୍ରକୃତିର ତାଣ୍ଡବଲୀଳା। ମାତ୍ର କେଇ ସେକେଣ୍ଡର ବ୍ୟବଧାନରେ ଦୁଇ ଦୁଇଟି ଶକ୍ତିଶାଳୀ ଭୂକମ୍ପ, ଯାହାକୁ ବୈଜ୍ଞାନିକ ଭାଷାରେ 'ଡବଲେଟ୍ ଅର୍ଥକ୍ଵେକ୍' (Doublet Earthquake) କୁହାଯାଉଛି। ଏହି ପ୍ରଳୟଙ୍କରୀ ଭୂକମ୍ପ ଯୋଗୁଁ ସମଗ୍ର ଦେଶରେ ବ୍ୟାପକ ସଂଖ୍ୟାରେ ଧନଜୀବନ ହାନି ହୋଇଥିବା ଆଶଙ୍କା କରାଯାଉଛି। ରାଜଧାନୀ କାରାକାସ୍ ସମେତ ଏକାଧିକ ସହରରେ ବଡ଼ ବଡ଼ ଅଟ୍ଟାଳିକା ତାସର ଘର ଭଳି ଭୁଶୁଡ଼ି ପଡ଼ିଛି।
ଆମେରିକୀୟ ଭୂବିଜ୍ଞାନ ସର୍ବେକ୍ଷଣ (USGS) ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିପାରେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଭୟଭୀତ ହୋଇ ହଜାର ହଜାର ଲୋକ ନିଜ ଘର ଏବଂ ଅଫିସରୁ ବାହାରକୁ ଦୌଡ଼ି ପଳାଉଛନ୍ତି।
ମାତ୍ର ୪୦ ସେକେଣ୍ଡରେ ସବୁ ଛାରଖାର
ସୂଚନା ଅନୁଯାୟୀ, ବୁଧବାର ଆସିଥିବା ଏହି ଭୂକମ୍ପ ସାଧାରଣ ଭୂକମ୍ପଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏଠାରେ ଗୋଟିଏ ନୁହେଁ, ବରଂ ମାତ୍ର ୪୦ ସେକେଣ୍ଡର ବ୍ୟବଧାନରେ ଦୁଇଟି ଶକ୍ତିଶାଳୀ ଝଟ୍କା ଅନୁଭୂତ ହୋଇଥିଲା। USGS ର ରିପୋର୍ଟ ଅନୁସାରେ, ପ୍ରଥମେ ୭.୨ ତୀବ୍ରତାର ଏକ ପ୍ରାରମ୍ଭିକ ଭୂକମ୍ପ ଆସିଥିଲା ଏବଂ ଏହାର ମିନିଟରୁ କମ୍ ସମୟ ମଧ୍ୟରେ ୭.୫ ତୀବ୍ରତାର ଦ୍ୱିତୀୟ ବଡ଼ ଝଟ୍କା ଲାଗିଥିଲା। ଏହି ଦୁଇଟି ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରାୟ ଗୋଟିଏ ଜାଗାରେ ହିଁ ଥିଲା।
କ’ଣ ଏହି ‘ଡବ୍ଲେଟ୍ ଭୂକମ୍ପ’?
ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏବଂ ପ୍ରାୟ ସମାନ ସମୟ ମଧ୍ୟରେ ପାଖାପାଖି ସମାନ ତୀବ୍ରତାର ଦୁଇଟି ବଡ଼ ଭୂକମ୍ପ ଆସେ, ସେତେବେଳେ ତାକୁ 'ଡବ୍ଲେଟ୍' ବା 'ଦୋହରା ଭୂକମ୍ପ' କୁହାଯାଏ। ବୈଜ୍ଞାନିକଙ୍କ ଅନୁସାରେ ଏହା ଏକ ବିରଳ ଘଟଣା। ଏଥିରେ ପ୍ରଥମ ଏବଂ ଦ୍ୱିତୀୟ ଭୂକମ୍ପରୁ ସୃଷ୍ଟି ହେଉଥିବା ତରଙ୍ଗ ପ୍ରାୟ ସମାନ ଥାଏ, କିନ୍ତୁ ଏହାକୁ ଦୁଇଟି ଅଲଗା ଅଲଗା ଶକ୍ତିଶାଳୀ ଝଟ୍କା ଭାବେ ଗଣନା କରାଯାଏ।
କାହିଁକି ଏବଂ କେମିତି ଆସେ ଦୁଇଟି ଭୂକମ୍ପ?
ଆମ ପୃଥିବୀର ଭିତର ଭାଗ ଅନେକ ଗୁଡ଼ିଏ ଟେକ୍ଟୋନିକ୍ ପ୍ଲେଟ୍କୁ ନେଇ ଗଠିତ। ଏହି ପ୍ଲେଟଗୁଡ଼ିକ ସବୁବେଳେ ଧୀରେ ଧୀରେ ଗତିଶୀଳ ଥାନ୍ତି। ଯେତେବେଳେ ଦୁଇଟି ପ୍ଲେଟ୍ ପରସ୍ପର ସହ ଧକ୍କା ହୁଅନ୍ତି, ଅଲଗା ହୁଅନ୍ତି କିମ୍ବା ଗୋଟିଏ ଆରଟି ଉପରକୁ ଚଢ଼ିଯାଆନ୍ତି, ସେତେବେଳେ ଭୂଗର୍ଭରୁ ପ୍ରଚଣ୍ଡ ଶକ୍ତି ନିର୍ଗତ ହୁଏ ଏବଂ ଆମକୁ ଭୂକମ୍ପ ଅନୁଭୂତ ହୁଏ।
ଭେନେଜୁଏଲା ମାମଲାରେ ବୈଜ୍ଞାନିକମାନେ କହିଛନ୍ତି ଯେ, ଯେତେବେଳେ ପ୍ରଥମ ଝଟ୍କାରେ ଭୂଗର୍ଭରୁ ସମସ୍ତ ଶକ୍ତି ସମ୍ପୂର୍ଣ୍ଣ ଭାବେ ବାହାରି ପାରି ନଥାଏ, ସେତେବେଳେ ବଳକା ରହିଯାଇଥିବା ଶକ୍ତି ମାତ୍ର କେଇ ସେକେଣ୍ଡ କିମ୍ବା ମିନିଟ୍ ମଧ୍ୟରେ ଦ୍ୱିତୀୟ ଏକ ବଡ଼ ଭୂକମ୍ପ ଆକାରରେ ବାହାରକୁ ଆସିଥାଏ। ବିଜ୍ଞାନ ସମ୍ବନ୍ଧୀୟ ଗବେଷଣାରୁ ଜଣାପଡ଼ିଛି ଯେ, ବିଶ୍ୱରେ ୭.୫ କିମ୍ବା ତା’ଠାରୁ ଅଧିକ ତୀବ୍ରତାରେ ଆସୁଥିବା ଭୂକମ୍ପ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ଭୂକମ୍ପ ଏହି 'ଡବ୍ଲେଟ୍' ଶ୍ରେଣୀର ହୋଇଥାଏ।