ପୁରୀ: ଗଜପତି ମହାରାଜ ଦିବ୍ୟସିଂହ ଦେବ ଫିଲ୍ମର ଟ୍ରେଲରକୁ ନେଇ ଗଭୀର ଆପତ୍ତି ଉଠାଇବା ସହ ଫିଲ୍ମର ମୁକ୍ତିଲାଭକୁ ସ୍ଥଗିତ ରଖିବା ପାଇଁ ଦାବି କରିଛନ୍ତି। ଭୁବନେଶ୍ୱରର ଏକ ପ୍ରଡକ୍ସନ ହାଉସ ଦ୍ୱାରା ନିର୍ମିତ ଏହି ଫିଲ୍ମ ଆସନ୍ତା ଜୁଲାଇ ୧୦ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଥିବାବେଳେ, ସୋସିଆଲ ମିଡିଆରେ ଏହାର ଟ୍ରେଲର ପ୍ରସାରଣ ପରେ ବିବାଦ ଆରମ୍ଭ ହୋଇଛି।
ଗଜପତି ମହାରାଜଙ୍କ ଅଭିଯୋଗ ହେଉଛି, ଟ୍ରେଲରରେ ଦେଖାଯାଇଥିବା କିଛି ଘଟଣା ଓ କାହାଣୀ ଶ୍ରୀଜଗନ୍ନାଥ ସଂପର୍କିତ ପ୍ରଚଳିତ ଶାସ୍ତ୍ର ଓ ପୁରାଣର ବର୍ଣ୍ଣନା ସହ ସଙ୍ଗତି ରଖୁନାହିଁ। ତାଙ୍କ କହିବା ଅନୁଯାୟୀ, ମହାପ୍ରଭୁଙ୍କ ଜୀବନ, ମହିମା ଓ ଲୀଳାକୁ ନେଇ ଯେକୌଣସି ଚିତ୍ରଣ ଶାସ୍ତ୍ରସମ୍ମତ ଏବଂ ପାରମ୍ପରିକ ତଥ୍ୟ ଉପରେ ଆଧାରିତ ହେବା ଆବଶ୍ୟକ।
ସେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଯଦି ଫିଲ୍ମରେ କଳ୍ପିତ କିମ୍ବା ବିକୃତ ତଥ୍ୟ ଦର୍ଶାଯାଇଥାଏ, ତେବେ ଏହା କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇପାରେ। ଏହି ପରିପ୍ରେକ୍ଷୀରେ ଗଜପତି ମହାରାଜ ଫିଲ୍ମର ଥିଏଟର ଓ ଡିଜିଟାଲ ମୁକ୍ତିଲାଭକୁ ସ୍ଥଗିତ ରଖିବା ସହ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ନିଯୁକ୍ତ ବିଶେଷଜ୍ଞମାନଙ୍କ ଦ୍ୱାରା ଏହାର କାହାଣୀ ଓ ସ୍କ୍ରିପ୍ଟ ଯାଞ୍ଚ କରାଇବାକୁ ଆହ୍ୱାନ ଜଣାଇଛନ୍ତି।
ଏପଟେ ଫିଲ୍ମର ଟ୍ରେଲରକୁ ନେଇ ଭକ୍ତ, ଧର୍ମବିତ୍ ଓ ସାଂସ୍କୃତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଅନେକ ଭକ୍ତ ଧାର୍ମିକ ବିଷୟବସ୍ତୁର ଚିତ୍ରଣରେ ଅଧିକ ସମ୍ବେଦନଶୀଳତା ଅବଲମ୍ବନ କରିବାକୁ ଦାବି କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ଫିଲ୍ମର ନିର୍ମାତା ସଂସ୍ଥା ପକ୍ଷରୁ କୌଣସି ଔପଚାରିକ ପ୍ରତିକ୍ରିୟା ଆସିନାହିଁ। ଫିଲ୍ମଟି ନିର୍ଦ୍ଧାରିତ ତାରିଖରେ ମୁକ୍ତିଲାଭ କରିବ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।