ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଓ ଜଳ୍ପନାର ଅବସାନ ଘଟିଛି। ପୂର୍ବତନ IAS ଅଧିକାରୀ ସୁଜାତା କାର୍ତ୍ତିକେୟନ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।
ଏହି ଅବସରରେ ନବୀନ ପଟ୍ଟନାୟକ କେବଳ ସୁଜାତାଙ୍କୁ ସ୍ୱାଗତ କରିନଥିଲେ, ବରଂ ଦଳର ଭବିଷ୍ୟତ ନେଇ ଏକ ବଡ଼ ରାଜନୈତିକ ସନ୍ଦେଶ ମଧ୍ୟ ଦେଇଛନ୍ତି। ନବୀନ ସ୍ପଷ୍ଟ କରି କହିଛନ୍ତି ଯେ, “ସୁଜାତା ଜଣେ ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ ଜଣେ IAS ଅଧିକାରୀ ଥିଲେ, ଏବେ ଦଳ ସହ ଯୋଡ଼ି ହୋଇଛନ୍ତି।”
ତେବେ ସବୁଠୁ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି ନବୀନଙ୍କ ଆଉ ଏକ ବୟାନ। ଆଗାମୀ ନିର୍ବାଚନକୁ ନେଇ ଚାଲିଥିବା ବିଭିନ୍ନ ଚର୍ଚ୍ଚାର ଜବାବ ଦେଇ ସେ କହିଛନ୍ତି ଯେ, “ମୋ ନେତୃତ୍ୱରେ ହିଁ ବିଜେଡି ଆଗାମୀ ନିର୍ବାଚନ ଲଢ଼ିବ।” ଏହି ବୟାନ ପରେ ଦଳର ନେତୃତ୍ୱ ନେଇ ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ମିଳିଯାଇଥିବା କୁହାଯାଉଛି।
ସୁଜାତାଙ୍କ ଦଳରେ ଯୋଗଦାନ କାର୍ଯ୍ୟକ୍ରମରେ ବିଜେଡିର ବହୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହାକୁ ଦଳ ପାଇଁ ଏକ ନୂଆ ଅଧ୍ୟାୟର ଆରମ୍ଭ ବୋଲି ବର୍ଣ୍ଣନା କରାଯାଉଛି।
ତେବେ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି। ୨୦୨୪ ନିର୍ବାଚନରେ କ୍ଷମତା ହରାଇଥିବା ବିଜେଡି ପାଇଁ ସୁଜାତାଙ୍କ ଏଣ୍ଟ୍ରି କି ନୂଆ ଶକ୍ତି ଆଣିବ? ନା ଏହା କେବଳ ଏକ ପ୍ରତୀକାତ୍ମକ ଯୋଗଦାନରେ ସୀମିତ ରହିବ? ଆଗାମୀ ଦିନରେ ଦଳୀୟ ରାଜନୀତିରେ ସୁଜାତାଙ୍କ ଭୂମିକା କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।