ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାରେ ଘଟିଥିବା ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ ଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଉ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହେବା ପରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ମୋଟ ୯ରେ ପହଞ୍ଚିଛି।
ମୃତ ମହିଳା ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଟାଙ୍ଗିରି ଦୁବାନାଳି ସାହିର ରୀତା ଜୁଆଙ୍ଗ। ସେ ଜୁଆଙ୍ଗ ଜନଜାତିର ଜଣେ ସଦସ୍ୟ ଥିଲେ ଏବଂ ରୋଜଗାର ଆଶାରେ ଜଣେ ଠିକାଦାରଙ୍କ ମାଧ୍ୟମରେ ତାମିଲନାଡୁ ଯାଇଥିଲେ। ଗତ ଜୁନ୍ ୨୧ ତାରିଖରେ ଏକ ସି-ଫୁଡ୍ ପ୍ରୋସେସିଂ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହେବା ପରେ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ।
ଏହି ଦୁର୍ଘଟଣା ଏବେ ସୁଦ୍ଧା ୧୧ ଜଣଙ୍କ ଜୀବନ ନେଇଛି। ସେଥିମଧ୍ୟରୁ ୯ ଜଣ ଓଡ଼ିଶାର ହୋଇଥିବା ବେଳେ ୨ ଜଣ ଆସାମର ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଅସୁସ୍ଥ ହୋଇଥିବା ଶ୍ରମିକମାନଙ୍କ ମଧ୍ୟରେ ମଧ୍ୟ ଓଡ଼ିଶାର ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ ରହିଛି।
ତାମିଲନାଡୁ ସରକାରଙ୍କ ତଥ୍ୟ ଅନୁସାରେ, ବର୍ତ୍ତମାନ ୬୮ ଜଣ ଶ୍ରମିକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେଥିରୁ ୩୩ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି।
ଏହି ହୃଦୟବିଦାରକ ଘଟଣା ପୁଣିଥରେ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ବିଶେଷକରି ଆଦିବାସୀ ଓ ଆର୍ଥିକ ଭାବେ ଦୁର୍ବଳ ପରିବାରର ଲୋକମାନେ ରୋଜଗାର ପାଇଁ ଦୂର ରାଜ୍ୟକୁ ଯାଇ କେତେ ଅସୁରକ୍ଷିତ ପରିସ୍ଥିତିରେ କାମ କରୁଛନ୍ତି, ତାହା ଏହି ଘଟଣା ସାମ୍ନାକୁ ଆଣିଛି। ଏପଟେ ତାମିଲନାଡୁ ଓ ଓଡ଼ିଶା ସରକାର ପକ୍ଷରୁ ପ୍ରଭାବିତ ପରିବାରଙ୍କୁ ସହାୟତା ଯୋଗାଇବା ସହ ପରିସ୍ଥିତି ଉପରେ ନଜର ରଖାଯାଉଛି। ଓଡିଶା ସରକାର ମୃତକଙ୍କ ପରିବାରକୁ ସମବେଦନା ଜଣାଇ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରଥମେ ସହାୟତା ରାଶି ୪ ଲକ୍ଷ ଥିବା ବେଳେ ପରବର୍ତୀ ସମୟରେ ତାହା ୧୦ ଲକ୍ଷକୁ ବଢାଯାଇଛି।