ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ବଡ଼ଦାଣ୍ଡ ସ୍ଥିତ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଆଜି ୬୫ତମ ଦିନରେ ପହଞ୍ଚିଛି। ମହାପ୍ରଭୁଙ୍କ ସେବାରେ ନିୟୋଜିତ ସମସ୍ତ ବିଶ୍ୱକର୍ମା ସେବକମାନେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ଅତି ନିଷ୍ଠାର ସହ ନିର୍ମାଣ କାର୍ଯ୍ୟକୁ ଶେଷ ପର୍ଯ୍ୟାୟକୁ ନେଇଯାଉଛନ୍ତି। ଆଜି ରଥଖଳାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭୋଇ ସେବକମାନେ ୬ ନମ୍ବର ‘ହରିବୋଲ’ ପକାଇ ତିନି ରଥର ପ୍ରମୁଖ ଅଂଶ ‘ପାରାଭାଡ଼ି’ ସହ ‘ଖପୁରି’କୁ ରଥ ଉପରକୁ ଉଠାଇଛନ୍ତି।
ଅଗ୍ରଗତି ପଥରେ ତିନି ରଥର ନିର୍ମାଣ କାର୍ଯ୍ୟ:
• ପ୍ରଭା ଓ ରୂପକାର ସେବା: ତିନି ରଥର ପ୍ରଭାକାର୍ଯ୍ୟ ନିର୍ମାଣ ସମ୍ପୂର୍ଣ୍ଣ ଶେଷ ହେବା ପରେ ରୂପକାର ସେବକମାନେ ଏହା ଉପରେ ଚିତ୍ତାକର୍ଷକ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ପୂର୍ବରୁ ପ୍ରଭା ଫ୍ରେମ୍ରେ ପଟା ପଡ଼ିବା ସହ ପ୍ରଭା ପଟାରେ ବାଙ୍କ ଖିଲଣ କଟାଯାଇ ରୂପ ଖୋଦେଇ ପଟା ସେଟିଂ ଶେଷ ହୋଇଥିଲା। ବର୍ତ୍ତମାନ ଜଗତ ଶ୍ରେଣୀ ପୃଷ୍ଠ ୫ଟି ରଥ ଉପରକୁ ଉଠିସାରିଛି।
• ଚିତ୍ରକାର ସେବକଙ୍କ ରଙ୍ଗ କାର୍ଯ୍ୟ: ରୂପକାର ସେବକମାନେ ନାଟ ଗୋଡ଼ରେ ‘କନ୍ଦର୍ପ ରୂପ’ ଖୋଦେଇ ସାରିବା ପରେ ଏବେ ସେଥିରେ ରଙ୍ଗ କାମ ଆରମ୍ଭ ହୋଇଛି। ପଟା ଗୁଜଗୁଡିକରେ ନର ବିରଳ, ସିଂହ ବିରଳ ଓ ଗଜ ବିରଳ ଚିତ୍ର ଖୋଦେଇ ଜାରି ରହିଛି। ଅପରପକ୍ଷରେ ଚିତ୍ରକର ସେବକମାନେ କଳସରେ ପଦ୍ମ ପାଖୁଡ଼ା ଆଙ୍କିବା ସହ ରଥର ପାର୍ଶ୍ୱ ଦେବାଦେବୀ, ଚକ ଓ ଦଣ୍ଡାଗୁଡ଼ିକରେ ଜୋରସୋରରେ ରଙ୍ଗ କାର୍ଯ୍ୟ କରୁଛନ୍ତି।
• କମାର ଶାଳରେ ଓଝା ସେବକ: ଦୋଳବେଦି ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ଧୂଳି ଦଣ୍ଡା ଓ ରଥରେ ଶୁଆ ସେଟିଂ ପାଇଁ ‘ନରାଜ କଣ୍ଟା’ ନିର୍ମାଣ କରିଛନ୍ତି। ମଠା କାର୍ଯ୍ୟ ଶେଷ କରି ବେଦି କଣ୍ଟା, ପ୍ରଭା କଣ୍ଟା ନିର୍ମାଣ ସହ ତିନିରଥର ପଛ ଚକଗୁଡ଼ିକର ସୁରକ୍ଷା ପାଇଁ ଲୁହାପ୍ଲେଟ୍ ଫିଟିଂ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।
ଏହା ସହିତ ରଥଖଳାକୁ ଗତକାଲି ନୂଆ ବ୍ରେକ୍ ଆସି ପହଞ୍ଚିଥିବା ବେଳେ ପାହି ମହାରଣାମାନେ ରଥଯାତ୍ରା ସମୟରେ ହେବାକୁ ଥିବା ବିଭିନ୍ନ ସେବା ପୂଜା ନୀତି ପାଇଁ ଆବଶ୍ୟକୀୟ କାଠ ନିର୍ମିତ ସରଞ୍ଜାମ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ରଥଯାତ୍ରା ସମୟ ପାଖେଇ ଆସୁଥିବାରୁ ପୂରା ରଥଖଳା ଏବେ ଚଳଚଞ୍ଚଳ ହୋଇଉଠିଛି।