ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଶ୍ରେୟସ ଆୟରଙ୍କ ନୂଆ ଅଧିନାୟକତ୍ୱରେ ଏକ ନୂତନ ଟି-୨୦ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଶୁକ୍ରବାରଠାରୁ ଆୟରଲ୍ୟାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୨ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଏହି ଉତ୍ସାହର ସବୁଠାରୁ ବଡ଼ କାରଣ ହେଉଛନ୍ତି ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଏହି ସିରିଜ୍ରେ ମୈଦାନକୁ ଓହ୍ଲାଇ ବୈଭବ ଏକ ବଡ଼ ଇତିହାସ ରଚିପାରନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ ସବୁଠାରୁ କମ୍ ବୟସରେ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି, ଯାହାକୁ ବୈଭବ ଭାଙ୍ଗିବାକୁ ଯାଉଛନ୍ତି। ତେବେ କେବଳ ବୈଭବ ନୁହନ୍ତି, ଏହି ସିରିଜ୍ରେ ଆଉ ଦୁଇଜଣ ଖେଳାଳି ମଧ୍ୟ ନିଜର ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିପାରନ୍ତି।
ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଶୁକ୍ରବାର ଏବଂ ଦ୍ୱିତୀୟ ମ୍ୟାଚ୍ ୨୮ ଜୁନ୍ରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ଗୁଡ଼ିକ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ନିକଟରେ ଇଣ୍ଡିଆ-ଏ ପାଇଁ ଖେଳି ଶ୍ରୀଲଙ୍କା-ଏ ବିପକ୍ଷ ତ୍ରିଦେଶୀୟ ସିରିଜ୍ ଫାଇନାଲ୍ରେ ମାତ୍ର ୧୧ ବଲ୍ରେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କୁ ଚକିତ କରିଥିଲେ ବୈଭବ। ବର୍ତ୍ତମାନ ଆଇପିଏଲ୍ ୨୦୨୬ ର ଏହି ‘ଅରେଞ୍ଜ କ୍ୟାପ୍’ ବିଜେତାଙ୍କ ଜଲୱା ଆନ୍ତର୍ଜାତୀୟ ମଞ୍ଚରେ ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି।
କାହା ସ୍ଥାନରେ ଖେଳିବେ ବୈଭବ ?
ଭାରତୀୟ ଦଳରେ ବର୍ତ୍ତମାନ ଅଭିଷେକ ଶର୍ମା, ସଞ୍ଜୁ ସାମସନ ଏବଂ ଇଶାନ କିଷନଙ୍କ ଭଳି ୩ ଜଣ ଧୂଆଁଧାର ଓପନର୍ ଅଛନ୍ତି। ଏଭଳି ସ୍ଥିତିରେ ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ବୈଭବଙ୍କୁ କେଉଁ ସ୍ଥାନରେ ସୁଯୋଗ ଦେବେ, ତାହା ଏକ ବଡ଼ ପ୍ରଶ୍ନ। କିନ୍ତୁ ବୈଭବ ଯେଉଁଭଳି ଫର୍ମରେ ଅଛନ୍ତି, ତାଙ୍କୁ ଦଳରେ ସାମିଲ କଲେ କେହି ବି ଏହାକୁ ବିରୋଧ କରିବେ ନାହିଁ।
ଡେବ୍ୟୁ କରିପାରନ୍ତି ସ୍ପିଡ୍ ଷ୍ଟାର୍ ପ୍ରିନ୍ସ ଯାଦବ
ବୈଭବଙ୍କ ବ୍ୟତୀତ ଯୁବ ଦ୍ରୁତ ବୋଲର ପ୍ରିନ୍ସ ଯାଦବ ମଧ୍ୟ ଏହି ସିରିଜ୍ରେ ନିଜର ଟି-୨୦ ଆନ୍ତର୍ଜାତୀୟ ଡେବ୍ୟୁ କରିପାରନ୍ତି। ପ୍ରିନ୍ସ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ମ୍ୟାଚ୍ରୁ ନିଜର ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିସାରିଛନ୍ତି। ଦଳର ବୋଲିଂ କୋଚ୍ ମଧ୍ୟ ପ୍ରିନ୍ସଙ୍କ ପ୍ରଶଂସା କରି କହିଛନ୍ତି ଯେ ସେ ଖୁବ୍ କମ୍ ସମୟରେ ଦଳର ସେଟ୍ଅପ୍ ସହ ନିଜକୁ ଖାପଖୁଆଇ ନେଇଛନ୍ତି। ଆଇପିଏଲ୍ ୨୦୨୬ ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ପାଇଁ ଖେଳି ପ୍ରିନ୍ସ ଚମତ୍କାର ପ୍ରଦର୍ଶନ କରିଥିଲେ। ପାୱାର-ପ୍ଲେ’ରେ ବ୍ୟାଟରଙ୍କୁ ଅଡୁଆରେ ପକାଉଥିବା ପ୍ରିନ୍ସ ୧୪ଟି ମ୍ୟାଚ୍ରୁ ୧୬ଟି ୱିକେଟ୍ ନେଇଥିଲେ ।
ଏହି ଅଲରାଉଣ୍ଡରଙ୍କ ଉପରେ ମଧ୍ୟ ରହିବ ନଜର
ଏହି ସିରିଜ୍ରେ ୨୩ ବର୍ଷୀୟ ପ୍ରତିଭାବାନ ଅଲରାଉଣ୍ଡର ସୂର୍ଯ୍ୟାଂଶ ସେଡଗେଙ୍କୁ ମଧ୍ୟ ଡେବ୍ୟୁ କରିବାର ସୁଯୋଗ ମିଳିପାରେ। ଆହତ ସମସ୍ୟା କାରଣରୁ ନୀତିଶ କୁମାର ରେଡ୍ଡୀ ବାଦ୍ ପଡ଼ିବା ପରେ ସୂର୍ଯ୍ୟାଂଶଙ୍କୁ ତାଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି। ଶ୍ରୀଲଙ୍କାରେ ଅନୁଷ୍ଠିତ ଟ୍ରାଇ-ସିରିଜ୍ରେ ଇଣ୍ଡିଆ-ଏ ପାଇଁ ବ୍ୟାଟିଂ ଏବଂ ବୋଲିଂ ଉଭୟ ବିଭାଗରେ ସେ ଦମଦାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।