ନୂଆଦିଲ୍ଲୀ: ଆମେରିକା କମ୍ପାନୀ ଆମାଜନ୍ ଭାରତରେ ଏକ ବଡ଼ ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଛି । ଆମାଜନ୍ ସିଇଓ ଏଣ୍ଡି ଜେସୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ଅବସରରେ ଭାରତରେ ୪.୧ ଲକ୍ଷ କୋଟିର ପୁଞ୍ଜିନିବେଶ କରିବାକୁ ଘୋଷଣା କରିଛନ୍ତି । ଏହାର ଅଧିକାଂଶ ଭାଗ ଦେଶରେ କୃତ୍ରିମ ବୁଦ୍ଧିମତା ବା ଏଆଇ ଟେକ୍ନୋଲୋଜିକୁ ଆଗକୁ ନେବାରେ ଏହି ଅର୍ଥ ନିବେଶ ହେବ । ଯାହାକି ଏଆଇ ନିବେଶ କ୍ଷେତ୍ରରେ ଭାରତରେ କୌଣସି ବିଶ୍ୱସ୍ତରୀୟ କମ୍ପାନୀର ସର୍ବାଧିକ ଅର୍ଥ ବିନିଯୋଗ ହେବ ବୋଲି ‘ଏକ୍ସ’ରେ ସୂଚନା ଦେଇଛନ୍ତି ସିଇଓ ଜେସି ।
ଆମାଜନ କହିଛି ଯେ ୨୦୨୬ରୁ ୨୦୩୦ ମଧ୍ୟରେ ଭାରତରେ ମୋଟ ୪୮ ଆରବ ଡଲାର (ପ୍ରାୟ ୪.୧ ଲକ୍ଷ କୋଟି ଟଙ୍କା) ନିବେଶ କରିବ । ଏଥିମଧ୍ୟରୁ ଏଆଇ ଓ କ୍ଲାଉଡ୍ ଇନଫ୍ରାଷ୍ଟ୍ରକ୍ଚର୍ ପାଇଁ ପ୍ରାୟ ୨୧ ଡଲାର ନିବେଶ କରାଯିବ । ଭାରତରେ କୌଣସି ଅନ୍ତର୍ଜାତୀୟ ସ୍ତରର କମ୍ପାନୀର ଏଆଇ ଏବଂ କ୍ଲାଉଡ୍ ସେକ୍ଟରରେ ଏହା ସବୁଠାରୁ ବଡ଼ ନିବେଶ ବୋଲି ଆମାଜନ କହିଛି । ୨୦୧୦ରୁ ୨୦୩୦ ମଧ୍ୟରେ ଭାରତରେ ଆମାଜନର ନିବେଶ ୮୮ କୋଟି ଆରବ ଡଲାରରୁ ଅଧିକ ହୋଇଯିବ । ଇ-କମର୍ସ, କ୍ୟୁଇକ୍ କମର୍ସ, ଡେଟା ସେଣ୍ଟର, କ୍ଲାଉଡ୍ ସର୍ଭିସ୍, ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ବ୍ୟବସାୟ ସାମିଲ ରହିଛି । ଏହା ସହିତ କମ୍ପାନୀ ଆଗାମୀ ଦିନରେ ଅନଲାଇନ୍ ସର୍ଭିସକୁ ଆହୁରି ବିସ୍ତାର କରିବାକୁ ଯୋଜନା ପ୍ରସ୍ତୁତ କରିଛି ।
ସେହିପରି ପ୍ରଧାନମନ୍ତ୍ରୀ ଏକ୍ସରେ ସୂଚନା ପ୍ରଦାନ କରି କହିଛନ୍ତି ଯେ ଏଣ୍ଡି ଜେସିଙ୍କ ସହିତ ଏକ ଭଲ ସାକ୍ଷାତ ହୋଇଛି । ଆମାଜନର ୪୮ ଆରବ ଡଲାର ନିବେଶକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରି କହିଛନ୍ତି ଯେ ଏହି ନିବେଶ ଭାରତର ଯୁବପୀଢ଼ିଙ୍କ ପାଇଁ ଏକ ନୂତନ ସୁଯୋଗ ଆଣିଦେବ । ଭାରତରେ ବିଶ୍ୱ ସ୍ତରୀୟ କମ୍ପାନୀ ନିବେଶ କରିବାକୁ ଆଗ୍ରହ ବଢ଼ୁଥିବା ଏଥିରେ ପ୍ରତୀୟମାନ ହେଉଛି ।
ଭାରତ Amazonର ସବୁଠାରୁ ବଡ଼ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ମଧ୍ୟରୁ ଗୋଟିଏ। ଗତ କିଛି ବର୍ଷ ମଧ୍ୟରେ, କମ୍ପାନୀ ଦେଶରେ ଇ-କମର୍ସ, ଡିଜିଟାଲ ପେମେଣ୍ଟ, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ବର୍ତ୍ତମାନ, ଦ୍ରୁତ ବାଣିଜ୍ୟ ଭଳି ଏହାର କାର୍ଯ୍ୟକୁ ଦ୍ରୁତ ଗତିରେ ବିସ୍ତାର କରିଛି। ବର୍ତ୍ତମାନ ଆମାଜନ ଏହାର 'ଆମାଜନ ନାଓ' ଦ୍ରୁତ ବାଣିଜ୍ୟ ସେବାକୁ ଦ୍ରୁତ ଗତିରେ ବିସ୍ତାର କରିବାକୁ ଯୋଜନା କରିଛି । କମ୍ପାନୀ ଏହି ସେବାକୁ ୩୦୦ ରୁ ଅଧିକ ସହରରେ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି।