ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ପୁଣିଥରେ ନିଜର ସରଳତା ଓ ସାଧାରଣ ଲୋକଙ୍କ ସହ ଯୋଡ଼ାଯାଇଥିବା ଛବି ପାଇଁ ଚର୍ଚ୍ଚାରେ ଆସିଛନ୍ତି। ଏଥର କୌଣସି ସିନେମାର ଦୃଶ୍ୟ ନୁହେଁ, ବରଂ ବାସ୍ତବ ଜୀବନର ଏକ ଘଟଣା ତାଙ୍କୁ ସୋସିଆଲ ମିଡିଆରେ ହିରୋ କରିଦେଇଛି।
ଗୁରୁବାର ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ରାଜ୍ୟ ପରିବହନ ନିଗମ (TNSTC) ପାଇଁ ୩୦୦ଟି ନୂଆ ଡିଜେଲ ଓ ସିଏନଜି ବସ୍ର ଶୁଭାରମ୍ଭ କରିଥିଲେ। ଏହି ନୂଆ ବସ୍ଗୁଡ଼ିକ ରାଜ୍ୟର ବିଭିନ୍ନ ରୁଟ୍ରେ ଚଳାଚଳ କରିବ ଏବଂ ସାଧାରଣ ଯାତ୍ରୀଙ୍କୁ ଉନ୍ନତ ପରିବହନ ସେବା ଯୋଗାଇବ।
କିନ୍ତୁ ଉଦ୍ଘାଟନ ଅନୁଷ୍ଠାନ ପରେ ଯାହା ଘଟିଲା, ତାହା ସମସ୍ତଙ୍କ ନଜର ଆକର୍ଷଣ କରିଛି। ବିଜୟ ନିଜେ ଏକ ନୂଆ ବସ୍ରେ ଚଢ଼ି ଯାତ୍ରା କରିଥିଲେ। ସବୁଠାରୁ ବଡ଼ କଥା ହେଲା, ସେ ଜଣେ ସାଧାରଣ ଯାତ୍ରୀଙ୍କ ପରି ଭଡ଼ା ଦେଇ ଟିକେଟ୍ କିଣିଥିଲେ। ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ କୌଣସି ବିଶେଷ ସୁବିଧା ନେଇନଥିଲେ।
ବସ୍ ଭିତରେ ତାଙ୍କର ଏହି ସରଳ ଆଚରଣ ଦେଖି ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। କେହି ତାଙ୍କ ସହ ସେଲଫି ନେଇଥିଲେ, ତ କେହି ହାତ ମିଳାଇ ଅଭିନନ୍ଦନ ଜଣାଇଥିଲେ। ବିଜୟ ମଧ୍ୟ ହସିମୁଖରେ ଲୋକଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ମତାମତ ଶୁଣିଥିଲେ।
ଫିଲ୍ମ ପରଦାରେ ବର୍ଷ ବର୍ଷ ଧରି ହିରୋ ଭାବେ ଦର୍ଶକଙ୍କ ହୃଦୟ ଜିତିଥିବା ବିଜୟ, ଏବେ ରାଜନୀତିରେ ମଧ୍ୟ ନିଜର ଭିନ୍ନ ଶୈଳୀ ପାଇଁ ପ୍ରଶଂସା ସାଉଁଟୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ଅନେକେ ଲେଖିଛନ୍ତି “ରିଲ୍ରେ ନୁହେଁ, ରିଅଲ୍ ଲାଇଫ୍ରେ ମଧ୍ୟ ହିରୋ ବିଜୟ।” ସାଧାରଣ ଲୋକଙ୍କ ଭଳି ବସ୍ରେ ଯାତ୍ରା କରି ଟିକେଟ୍ କିଣିବାର ଏହି ଛୋଟ ପଦକ୍ଷେପ, ଲୋକଙ୍କ ମନରେ ବିଜୟଙ୍କ ପ୍ରତି ସମ୍ମାନକୁ ଆହୁରି ବଢ଼ାଇ ଦେଇଛି।