ନୂଆଦିଲ୍ଲୀ: ବିଶ୍ୱ ତେଲ ବଜାର ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ସମୁଦ୍ର ପଥରେ ଯାତାୟାତ କରୁଥିବା ଜାହାଜଗୁଡ଼ିକଠାରୁ ଇରାନ କୌଣସି ପ୍ରକାରର ‘ଟୋଲ୍’ ବା ଟିକସ ଆଦାୟ କରିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି। କିଛି ଦିନର ବିବାଦ ପରେ ଇରାନ ଏହି ପ୍ରସଙ୍ଗରେ ଆମେରିକାକୁ ସ୍ପଷ୍ଟୀକରଣ ଦେଇଥିବା ଜଣାପଡ଼ିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଟ୍ରମ୍ପ ଲେଖିଛନ୍ତି ଯେ, ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ କୌଣସି ଟୋଲ୍, ବୀମା ଖର୍ଚ୍ଚ କିମ୍ବା ଅନ୍ୟ କୌଣସି ଅତିରିକ୍ତ ଶୁଳ୍କ ଲାଗୁ କରାଯିବ ନାହିଁ ବୋଲି ଇରାନ ପକ୍ଷରୁ ଆମେରିକାକୁ ଜଣାଇ ଦିଆଯାଇଛି।
ଟ୍ରମ୍ପ ଦେଲେ କଡ଼ା ଚେତାବନୀ
ତେବେ ଏହି ସୂଚନା ସହିତ ଟ୍ରମ୍ପ ଇରାନକୁ ଏକ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, "ଯଦି ଏହି ସୂଚନା ମିଛ ପ୍ରମାଣିତ ହୁଏ, ତେବେ ଇରାନ ସହ ଚାଲିଥିବା ଆଲୋଚନା ଓ ଶାନ୍ତି ପ୍ରକ୍ରିୟାକୁ ଆମେରିକା ସେହିକ୍ଷଣି ବନ୍ଦ କରିଦେବ। କିଛି ଦିନ ତଳେ ଇରାନ ଏବଂ ଓମାନ ମିଳିତ ଭାବେ ହରମୁଜ ପ୍ରଣାଳୀ ଦେଇ ଗତି କରୁଥିବା ଜାହାଜଗୁଡ଼ିକ ଉପରେ ଏକ ସ୍ୱତନ୍ତ୍ର ଶୁଳ୍କ ବା ଫିସ୍ ଲଗାଇବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ନେଇ ଆମେରିକା ପ୍ରଶାସନ ତୀବ୍ର ଆପତ୍ତି ପ୍ରକାଶ କରିବା ସହ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା।
ଆମେରିକା ଦେଇନାହିଁ କୌଣସି ଟଙ୍କା
ଏହା ସହିତ ଏହି ଚେତାବନୀ ପୋଷ୍ଟରେ ଟ୍ରମ୍ପ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ଚର୍ଚ୍ଚା ହେଉଥିଲା ଯେ ଏହି ବୁଝାମଣା ପାଇଁ ଆମେରିକା, ଇରାନକୁ ଆର୍ଥିକ ସହାୟତା କିମ୍ବା ତା’ର ଜବତ ହୋଇଥିବା ପାଣ୍ଠି ମୁକ୍ତ କରିଛି। କିନ୍ତୁ ଟ୍ରମ୍ପ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ପକ୍ଷରୁ ଇରାନକୁ କୌଣସି ନଗଦ ଟଙ୍କା ଦିଆଯାଇ ନାହିଁ। ବରଂ ଇରାନର ଯେଉଁ ପାଣ୍ଠି ଆମେରିକା ନିୟନ୍ତ୍ରଣରେ ଅଛି, ସେଥିରୁ କିଛି ଅଂଶ ବ୍ୟବହାର କରି ଇରାନ କେବଳ ଆମେରିକାର ଚାଷୀମାନଙ୍କଠାରୁ ମକା, ଗହମ ଏବଂ ସୋୟାବିନ୍ ଭଳି କୃଷିଜାତ ସାମଗ୍ରୀ କିଣିପାରିବ।