ପୁଣେ: ପୁଣେର ଚର୍ଚ୍ଚିତ କୋଟିପତି ବ୍ୟବସାୟୀଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଲୋନାଭାଲା ଗ୍ରାମୀଣ ପୋଲିସର ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ଏହି ବିବାହ ପାଇଁ ଆଦୌ ପ୍ରସ୍ତୁତ ନଥିଲା। ପରିବାର ଲୋକଙ୍କ ଚାପ ଯୋଗୁଁ ହିଁ ସେ କେତନଙ୍କ ସହ ବିବାହ କରିବାକୁ ରାଜି ହୋଇଥିଲା। ପୋଲିସ ପଚରାଉଚରା ଏବଂ ଡିଜିଟାଲ ପ୍ରମାଣରୁ ସ୍ପଷ୍ଟ ହୋଇଛି ଯେ, ସିୟା ନିଜର ବିବାହ ପାଇଁ ପରିବାରଠାରୁ ଆଉ କିଛି ସମୟ ଚାହୁଁଥିଲା ଏବଂ କେତନଙ୍କୁ ବିବାହ କରିବାକୁ କୌଣସି ପରିସ୍ଥିତିରେ ଚାହୁଁନଥିଲା।
ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ସିୟା ଗତ ବର୍ଷ ଏକ ଦୀପାବଳି ପାର୍ଟିରେ ନିଜ ପ୍ରେମିକ ଚେତନ ଚୌଧୁରୀକୁ ଭେଟିଥିଲା। ସେବେଠାରୁ ଦୁହେଁ ନିୟମିତ ସମ୍ପର୍କରେ ଥିଲେ। ପରିବାର ଲୋକେ କେତନଙ୍କ ସହ ସିୟାର ବିବାହ ସ୍ଥିର କରିବା ପରେ ଚେତନ ଓ ସିୟା ମିଶି କେତନଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିବା ଆରମ୍ଭ କରିଦେଇଥିଲେ। ହତ୍ୟାକାଣ୍ଡର ଠିକ୍ ପୂର୍ବରୁ ଦୁହେଁ ଏକ କାଫେରେ ଭେଟି କେମିତି କେତନଙ୍କୁ ଲୋହାଗଡ଼ ଦୁର୍ଗ ପାହାଡ଼ରୁ ଠେଲି ଦିଆଯିବ, ତାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।
ସାପ ଆସିଗଲା ବୋଲି ଚିତ୍କାର ଲୁଚାଇଥିଲା ପ୍ରଥମ ପ୍ରୟାସ
ପୋଲିସ ସନ୍ଦେହ କରୁଛି ଯେ କେତନଙ୍କୁ ମାରିବା ପାଇଁ ସିୟା ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ଚେଷ୍ଟା କରିଥିଲା। ଗତ ମେ' ୩୧ ତାରିଖରେ ଲୋହାଗଡ଼ କିଲ୍ଲାକୁ ଟ୍ରେକିଂ ପାଇଁ ଯାଇଥିବା ବେଳେ କେତନଙ୍କୁ ଏକ ଖାଇ ପାଖରେ ବସିଥିବା ଦେଖି ସିଆ ମନରେ ପ୍ରଥମେ ହତ୍ୟା କରିବା ଚିନ୍ତା ଆସିଥିଲା। ଏହାପରେ ଜୁନ୍ ୧୪ରେ ପୁଣି ଫଟୋସୁଟ୍ ବାହାନାରେ ସେଠାକୁ ଯାଇ ସିୟା କେତନଙ୍କୁ ପାହାଡ଼ରୁ ଠେଲିବାକୁ ଚେଷ୍ଟା କରିଥିଲା, ମାତ୍ର କେତନ ଖସିଯାଇଥିଲେ। ସେହି ସମୟରେ ନିଜର ଦୋଷ ଲୁଚାଇବା ପାଇଁ ସିଆ ଜୋରରେ ଚିଲ୍ଲାଇ କହିଥିଲା ଯେ, ମୁଁ ଏକ ସାପ ଦେଖିଲି, ସେଥିପାଇଁ ଡରିଯାଇ ତୁମକୁ ଠେଲି ଦେଲି।
ଦୁର୍ଘଟଣା ନୁହେଁ, ପ୍ଲାନ୍ଡ ମର୍ଡର
ପ୍ରଥମେ କେତନ ଅଗ୍ରୱାଲଙ୍କ ମୃତ୍ୟୁକୁ ଏକ ସାଧାରଣ ଦୁର୍ଘଟଣା ବୋଲି କୁହାଯାଉଥିଲା ଏବଂ ଫଟୋ ଉଠାଇବା ସମୟରେ ଗୋଡ଼ ଖସିଯିବାରୁ ସେ ପ୍ରାଣ ହରାଇଥିବା ସମସ୍ତେ ଭାବିଥିଲେ। ମାତ୍ର କେତନଙ୍କ ଭଉଣୀଙ୍କ ସନ୍ଦେହ ହେବାରୁ ପରିବାର ଲୋକେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ବୈଷୟିକ ଏବଂ ଫୋରେନସିକ ପ୍ରମାଣ ଆଧାରରେ ତଦନ୍ତ କରିବା ପରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସିୟା ଗୋୟଲ ଏବଂ ଚେତନ ଚୌଧୁରୀ ୭ ଦିନିଆ ପୋଲିସ ହେପାଜତରେ ଅଛନ୍ତି ଏବଂ ପୋଲିସ ଏହି ମାମଲାର ଅଧିକ ଖୋଳତାଡ଼ ଜାରି ରଖିଛି।