ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଦେବୋତ୍ତର ସମ୍ପତ୍ତି ଓ ଦାନ ସାମଗ୍ରୀ ଚୋରି ଅଭିଯୋଗ ଏବେ ଏକ ନୂଆ ମୋଡ଼ ନେଇଛି। ଦୀର୍ଘ ୬ ଦିନର ଘନଘନ ଖୋଳତାଡ଼ ପରେ ଏସଆଇଟି (SIT) ନିଜର ୧୫ ପୃଷ୍ଠାର ପ୍ରାଥମିକ ତଦନ୍ତ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରିଛି। ଯଦିଓ ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଛି, ମାତ୍ର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଖୁଲାସା ଆଗାମୀ ଦିନରେ ବଡ଼ ଧରଣର ରାଜନୈତିକ ଝଡ଼ ସୃଷ୍ଟି କରିବାକୁ ଯାଉଛି।
ନିଯୁକ୍ତିରେ ଜାଲିଆତି ଓ ସନ୍ଦେହ ଘେରରେ ଟ୍ରଷ୍ଟ ମହାସଚିବ
ସୂତ୍ର ମୁତାବକ, ଏସଆଇଟିର ଏହି ପ୍ରାଥମିକ ରିପୋର୍ଟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ଭୂମିକାକୁ ସନ୍ଦେହଜନକ ବୋଲି ଦର୍ଶାଯାଇଛି। ଏହାସହ ମନ୍ଦିରରେ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା କଥା ରିପୋର୍ଟରେ କୁହାଯାଇଛି। ଏଭଳି ଅନେକ କର୍ମଚାରୀ ସେଠାରେ କାମ କରୁଛନ୍ତି, ଯେଉଁମାନଙ୍କ ନିଯୁକ୍ତି ପାଇଁ କୌଣସି ଲିଖିତ ଆଦେଶ ନାହିଁ କିମ୍ବା ସେମାନଙ୍କର ବ୍ୟାକଗ୍ରାଉଣ୍ଡ (ପୃଷ୍ଠଭୂମି) ଯାଞ୍ଚ କରାଯାଇ ନାହିଁ। ଦାନ ବାକ୍ସର ଗଣତି ଏବଂ ଏହାର ତଦାରଖ ବ୍ୟବସ୍ଥାରେ ମଧ୍ୟ ଚରମ ଅବହେଳା କରାଯାଉଥିବା ସାମ୍ନାକୁ ଆସିଛି।
ଭକ୍ତ ବଢ଼ିଲେ, ହେଲେ ଦାନ କମିଲା ! ବ୍ୟାଙ୍କ ଷ୍ଟେଟମେଣ୍ଟରୁ ରହସ୍ୟ
ତଦନ୍ତ ବେଳେ ମନ୍ଦିରକୁ ଆସୁଥିବା ଦାନ ରାଶି ମଧ୍ୟରେ ଅସ୍ବାଭାବିକ ତାରତମ୍ୟ ଦେଖିବାକୁ ମିଳିଛି। ବ୍ୟାଙ୍କ ଷ୍ଟେଟମେଣ୍ଟ ଏବଂ ଶ୍ରଦ୍ଧାଳୁଙ୍କ ସଂଖ୍ୟାର ପରିସଂଖ୍ୟାନକୁ ମିଳାଇବା ପରେ ଜଣାପଡ଼ିଛି ଯେ, ଅନେକ ସମୟରେ ଭକ୍ତଙ୍କ ଭିଡ଼ ବଢ଼ିଥିଲେ ମଧ୍ୟ ଚଢ଼ାଉ ବା ଦାନର ପରିମାଣ କମ୍ ଦେଖାଯାଇଛି। ପଚରାଉଚରା ବେଳେ ଅଧିକାରୀମାନେ ଯୁକ୍ତି ଦର୍ଶାଇଥିଲେ ଯେ ସେହି ସମୟରେ ନୋଟ୍ ବଦଳରେ ପଏସା ବା କଏନ୍ ଅଧିକ ମିଳିଥିଲା, ମାତ୍ର ଏହି ଉତ୍ତରରେ ତଦନ୍ତକାରୀ ସଂସ୍ଥା ସନ୍ତୁଷ୍ଟ ହୋଇନାହିଁ।
ସେହିପରି, ଗତ ୫ ବର୍ଷ ମଧ୍ୟରେ କିଛି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ସମ୍ପତ୍ତି ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ସନ୍ଦେହକୁ ଦ୍ୱିଗୁଣିତ କରିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରକୃତରେ କେତେ ଟଙ୍କା ବା ସାମଗ୍ରୀ ଚୋରି ହୋଇଛି, ତାର ସଠିକ୍ ଆକଳନ ଏସଆଇଟି କରିପାରି ନାହିଁ। କାରଣ ଭକ୍ତମାନେ ଦେଉଥିବା ଦାନର କୌଣସି ଶୃଙ୍ଖଳିତ ରେକର୍ଡ ବା ଖାତା ମନ୍ଦିର ପ୍ରଶାସନ ପାଖରେ ଉପଲବ୍ଧ ନାହିଁ।