ଭୁବନେଶ୍ୱର: ସୁଜାତା ରାଉତ କାର୍ତ୍ତିକେୟନ ପାଣ୍ଡିଆନ ବିଜେଡ଼ିରେ ଯୋଗ ଦେବା ପରେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ସୁଜାତାଙ୍କ ଏଣ୍ଟ୍ରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାର ଏକ ବଡ଼ ରଣନୀତି ବୋଲି ବିବେଚନା କରାଯାଇଛି । ଏହା ପ୍ରତିକ୍ରିୟା ରଖି ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ସୁଜାତାଙ୍କ ଯୋଗଦାନ ମହିଳା ଭୋଟ ବ୍ୟାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।
ସୁଜାତାଙ୍କ ବିଜେଡ଼ିରେ ଯୋଗଦାନ କରିବା ତାଙ୍କ ଦଳର ନିଷ୍ପତ୍ତି ତେଣୁ ସେ ଏହା ଉପରେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ମନମୋହନ ସ୍ପଷ୍ଟଭାବେ ମନା କରିଦେଇଥିଲେ । ମହିଳାଙ୍କ ଭୋଟ୍ ବ୍ୟାଙ୍କ ଉପରେ କୌଣସି ପ୍ରଭାବ ପଡ଼ିବା ନାହିଁ । ତେବେ କଣ ହେବ ଓ କଣ କରିବ ତାହା ଭବିଷ୍ୟତ କହିବ ଏବଂ ତାହା ଲୋକ ନିଷ୍ପତି ନେବେ ବୋଲି ମନମୋହନ କହିଛନ୍ତି ।
ବିଜେପି ରାଜ୍ୟ ମହିଳା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ଯେ ସୁଜାତା ବିଜେଡିରେ ମିଶିବାର କୌଣସି ପ୍ରଭାବ ପଡ଼ିବନି । ଯେଉଁ ମହିଳା ଭୋଟ୍ ବ୍ୟାଙ୍କ କଥା କୁହାଯାଉଛି, ତାହା ବିଜେଡି ସହ ନାହିଁ । ମହିଳାମାନେ ତାଙ୍କ ସହ ନ ଥିବାରୁ ବିଜେଡ଼ି ୨୦୨୪ ନିର୍ବାଚନ ହାରିଲା । ନବୀନ ଆସନ୍ତା ନିର୍ବାଚନରେ ନେତୃତ୍ବ ନେବା କହିବାକୁ ମଧ୍ୟ କାଉଣ୍ଟର କରିଛନ୍ତି ଐଶ୍ୱର୍ଯ୍ୟା । ଏନେଇ କେହି କିଛି ପଚାରି ନ ଥିଲା ବେଳେ ସେ କାହିଁ କହିଲେ ବୋଲି ବିଜେପି ନେତ୍ରୀ ପ୍ରଶ୍ନ କରିଛନ୍ତି ।