ପୁରୀ ବେଳାଭୂମିରେ ପୁଣି ଥରେ ଦେଖିବାକୁ ମିଳିଛି ରୋମାଞ୍ଚକର ଉଦ୍ଧାର ଦୃଶ୍ୟ। ସମୁଦ୍ର ସ୍ନାନ ବେଳେ ରିପ୍ କରେଣ୍ଟ ଓ ବଡ଼ ଲହଡ଼ିରେ ଭାସି ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିବା ଜଣେ ପର୍ଯ୍ୟଟକଙ୍କୁ ସାହସିକତାର ସହ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ।
ଉଦ୍ଧାର ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ୫୧ ବର୍ଷୀୟ ସୁଜିତ୍ ସେନ। ସେ ସେକ୍ଟର-୯ ବେଳାଭୂମି, ଚୈତନ୍ୟ ଛକ ସମ୍ମୁଖରେ ସ୍ନାନ କରୁଥିବା ବେଳେ ହଠାତ୍ ରିପ୍ କରେଣ୍ଟର ଶିକାର ହୋଇ ଗଭୀର ଜଳକୁ ଭାସିଯାଇଥିଲେ।
ଏହା ଦେଖି ଅନ୍ୟ ପର୍ଯ୍ୟଟକମାନେ ତୁରନ୍ତ ଲାଇଫଗାର୍ଡଙ୍କୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଲାଇଫଗାର୍ଡମାନେ ସମୁଦ୍ର ଭିତରକୁ ଲମ୍ଫ ମାରି ସୁଜିତଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ। ଏହି LIVE RESCUE ଦୃଶ୍ୟ ଦେଖି ଉପସ୍ଥିତ ଲୋକେ ଲାଇଫଗାର୍ଡଙ୍କ ସାହସକୁ ପ୍ରଶଂସା କରିଛନ୍ତି।
ଉଦ୍ଧାର ପରେ ସୁଜିତଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ପୁରୀ ବେଳାଭୂମିରେ ଏବେ ରିପ୍ କରେଣ୍ଟ ଓ ଉଚ୍ଚ ଲହଡ଼ିର ପ୍ରଭାବ ଥିବାରୁ ପର୍ଯ୍ୟଟକମାନେ ଲାଇଫଗାର୍ଡଙ୍କ ସତର୍କବାଣୀ ମାନି ସୁରକ୍ଷିତ ଭାବେ ସ୍ନାନ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି।