ବାଲେଶ୍ଵର: ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି ମାଡ଼ ହୋଇଛି । ମୃତକ ହେଲେ ଶେଖ୍ ହମିଦ୍ । ବାଇକ୍ରେ ଆସି ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡର ବଜାରରେ ଘଟିଥିଲା ଗୁଳିକାଣ୍ଡ ।
ପ୍ରାଥମିକ ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡର ବଜାର ନିକଟରେ ଶେଖ୍ ହମିଦ୍ ଚାଲି ଚାଲି ଯାଉଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଆଠ ରାଉଣ୍ଡ ଗୁଳି ଚଳାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଶେଖ୍ ହମିଦଙ୍କର ଗାଡ଼ି ଯନ୍ତ୍ରପାତି ଦୋକାନ ଏବଂ ପାର୍ଲର୍ ଅଛି । ସିସିଟିଭିରେ ଗୁଳି ମାଡ଼ର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି । ପଛରୁ ବାଇକରେ ଆସି ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।