ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରରେ ଷ୍ଟ୍ରିଟ୍ ଲାଇଟ୍ ପୋଲ ଚୋରି ଘଟଣାକୁ ନେଇ କମିଶନରେଟ୍ ପୋଲିସ ଓ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ। ଚୋରି ମାମଲାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବେଆଇନ ଗୋଦାମ ଘର ଉପରେ ଆଜି ବୁଲଡୋଜର ଚଢ଼ିଛି। ପ୍ରଶାସନ ଓ ପୋଲିସର ମିଳିତ ଚଢ଼ାଉରେ ଗୋଦାମ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।
ଦୀର୍ଘଦିନ ଧରି ରାଜଧାନୀର ବିଭିନ୍ନ ସ୍ଥାନରୁ ଷ୍ଟ୍ରିଟ୍ ଲାଇଟ୍, ଇଲେକ୍ଟ୍ରିକ୍ ପୋଲ ଏବଂ ସରକାରୀ ସମ୍ପତ୍ତି ଚୋରି ହେଉଥିବା ଅଭିଯୋଗ ଆସୁଥିଲା। ତଦନ୍ତ ବେଳେ ଏହି ରାକେଟ୍ରେ ସେକ୍ ଯାଇବୁର ଓ ସେକ୍ ହମିଦଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା। ଏହାପରେ ପୋଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ କଡ଼ା ପଦକ୍ଷେପ ଆରମ୍ଭ କରିଛି।
ଖାରବେଳନଗର ଥାନା ଅଞ୍ଚଳର ବାସିନ୍ଦା ସେକ୍ ଯାଇବୁରଙ୍କୁ ପୂର୍ବରୁ ପୋଲିସ ଗିରଫ କରିସାରିଛି। ତେବେ ମାମଲାର ଅନ୍ୟତମ ଅଭିଯୁକ୍ତ ସେକ୍ ହମିଦ ଏବେ ମଧ୍ୟ ଫେରାର ରହିଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ପୋଲିସ ସୂଚନା ଅନୁସାରେ, ଜନପଥରେ ବିଏମସି ପକ୍ଷରୁ ଲାଗିଥିବା ଲକ୍ଷାଧିକ ଟଙ୍କାର ସ୍ମାର୍ଟ ସିଟି ଷ୍ଟ୍ରିଟ୍ ଲାଇଟ୍ ପୋଲ ଖୋଲି ଚୋରି କରାଯାଉଥିଲା। ପରେ ସେଗୁଡ଼ିକୁ ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଥିବା ଅଭିଯୋଗ ରହିଛି। ଶ୍ରୀୟା ଛକ ଅଞ୍ଚଳରେ କବାଡ଼ି ବ୍ୟବସାୟ ଆଡ଼ରେ ଏହି ଚୋରି ଚକ୍ର ସକ୍ରିୟ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ଦିନରେ କବାଡ଼ି ବ୍ୟବସାୟ ଚାଲୁଥିବାବେଳେ ରାତିରେ ସରକାରୀ ସମ୍ପତ୍ତି ଚୋରି କରାଯାଉଥିଲା। ଚୋରା ସାମଗ୍ରୀକୁ ଗୋଦାମରେ ମହଜୁଦ ରଖି ପରେ ବିକ୍ରି କରାଯାଉଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ମାର୍ଟ ସିଟି ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଏପଟେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପରେ ସ୍ପଷ୍ଟ ସନ୍ଦେଶ ଦେଇଛି କମିଶନରେଟ୍ ପୋଲିସ, ସରକାରୀ ସମ୍ପତ୍ତି ଚୋରି ଓ ବେଆଇନ କାରବାରରେ ସଂପୃକ୍ତ ଲୋକଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି କଡ଼ା ପଦକ୍ଷେପ ଜାରି ରହିବ।