ଭୁବନେଶ୍ୱର: ଓଡ଼ିଆ ସିନେମା ଜଗତ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୩ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଦୁଇ ବର୍ଷ ପାଇଁ ମୋଟ ୬୪ଟି ପୁରସ୍କାର ଘୋଷଣା ହୋଇଥିବାବେଳେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ଓ ନିର୍ମାତା ସମ୍ମାନିତ ହେବେ।
୨୦୨୩ ବର୍ଷ ପାଇଁ ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ସେହିପରି 'ଧୋରେ ବାବୁ ଧୋ' ପାଇଁ ହରିହର ମହାପାତ୍ର ୨୦୨୩ର ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇବେ। ଅଭିନୟରେ ନିଜ ଦକ୍ଷତା ପ୍ରମାଣ କରିଥିବା ନୈନା ଦାସ ଓ ସୁପ୍ରିୟା ନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ ଚଳଚ୍ଚିତ୍ର ପାଇଁ ନୈନା ଦାସ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ସମ୍ମାନ ମଧ୍ୟ ହାସଲ କରିଛନ୍ତି।
ଏହାସହ ‘ମୋ ବୋଉ ମୋ ଗାଁ’ ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ସମ୍ମାନିତ ହେବାକୁ ଯାଉଛି। ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯିବ।
ଅନ୍ୟପଟେ ୨୦୨୪ ବର୍ଷ ପାଇଁ ‘ଆଶ୍ରମ’ ଚଳଚ୍ଚିତ୍ର ବାଜିମାତ କରିଛି। ଏହି ଫିଲ୍ମକୁ ଶ୍ରେଷ୍ଠ ଚଳଚ୍ଚିତ୍ରର ସମ୍ମାନ ମିଳିଥିବାବେଳେ ନିର୍ଦେଶକ ଅଶୋକ ପତିଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ ଚୟନିତ ହୋଇଛନ୍ତି। ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତିଙ୍କୁ 'ପାବାର' ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ମୁଖ୍ୟ ଅଭିନେତା ସମ୍ମାନ ମିଳିବ। 'ଭଗିଆ ଭାରିଜା' ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେଘୁରିଆ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି। ଶିଶୁ ଚଳଚ୍ଚିତ୍ର ବର୍ଗରେ ‘ଫୁଲ ଫୁଟି ମହକିଲା’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ ହେବ।
ଆସନ୍ତାକାଲି ଏହି ପୁରସ୍କାରଗୁଡ଼ିକ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେତାମାନଙ୍କୁ ସମ୍ମାନିତ କରାଯିବ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ପରେ ଓଡ଼ିଆ ଫିଲ୍ମ ଜଗତରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି। ଏହି ସମ୍ମାନ କଳାକାରମାନଙ୍କୁ ନୂଆ ପ୍ରେରଣା ଦେବ ବୋଲି ସିନେପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି।