ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ପରେ ଶବ ବହନ ପାଇଁ ଶବବାହୀ ଗାଡ଼ି ନ ମିଳିବାରୁ ପରିବାର ଲୋକ ଅସହାୟ ହୋଇପଡ଼ିଥିଲେ। ଶେଷରେ ମୃତକଙ୍କ ଘର ଲୋକ ବାଧ୍ୟ ହୋଇ ମୃତଦେହକୁ ସାଇକେଲରେ ବୋହି ଶ୍ମଶାନକୁ ନେଇଥିବା ଜଣାପଡ଼ିଛି।
ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକମାନେ ମର୍ମାହତ ହେବା ସହ ସରକାରୀ ସୁବିଧା ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗରିବ ଓ ଅସହାୟ ପରିବାରମାନଙ୍କ ପାଇଁ ଥିବା ଶବବାହୀ ଯାନ ସେବା ଠିକ୍ ସମୟରେ ଉପଲବ୍ଧ ନ ହେବା ନେଇ ଲୋକଙ୍କ ମଧରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମାଞ୍ଚଳରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।