ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ଆଜି ରଥ ନିର୍ମାଣ ୬୬ ତମ ଦିନରେ ପହଞ୍ଚିଥିବା ବେଳେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ରଥ ନିର୍ମାଣକାରୀ ସେବକମାନେ ଆଜିର କାମ ଆରମ୍ଭ କରିଛନ୍ତି।
ଶେଷ ହେଲା ପୋଟଳ ସେଟିଂ, ବେଦି ସିଂହାସନ କାମ ଜାରି
ଗତକାଲି ତିନିରଥର ଖପୁରି ସମେତ ପାରାଭାଡ଼ିକୁ ମିଶାଇ ପୋଟଳ ସେଟିଂ କାର୍ଯ୍ୟ ସଫଳତାର ସହ ଶେଷ ହୋଇଥିଲା। ଆଜି ରଥଖଳାରେ ବାହୁଟ ଫାଳିଆ କାର୍ଯ୍ୟ କରାଯାଉଛି, ଯାହାକୁ ପରବର୍ତ୍ତୀ ସମୟରେ ବେଦି ସିଂହାସନରେ ସଂଯୋଗ କରାଯିବ। ଅପରପକ୍ଷରେ, ଦୁଆର ବେଢ଼ା ଚିତ୍ର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବେଦି ସିଂହାସନ କାର୍ଯ୍ୟ ଜାରି ରହିଛି। ସିଂହାସନ ପ୍ରସ୍ତୁତି ପାଇଁ ଚାରି ନାହାକା ଆଗ ପଛ ଢମକରେ ପାଞ୍ଚଟି ଲେଖାଏଁ ୨୦ ଫୁଟିଆ ଜଗତ ପୃଷ୍ଠ ଶେଣି ପଡ଼ି କଣ୍ଟା ବାଡ଼ିଆ କାମ ଶେଷ ହୋଇଛି ଏବଂ ଏହା ସହିତ ବେଦିରେ ଜଗତ ପୃଷ୍ଠ ଶେଣି କାମ ମଧ୍ୟ ଚାଲୁ ରହିଛି। ଗତକାଲି ଅନୁକୂଳ ପୂଜା ସମ୍ପନ୍ନ ହେବା ପରେ ତିନିରଥ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।
ରଙ୍ଗ କାର୍ଯ୍ୟରେ ବ୍ୟସ୍ତ ଚିତ୍ରକାର ସେବକ
ରଥଖଳାରେ ଚିତ୍ରକାର ସେବକମାନଙ୍କ କାର୍ଯ୍ୟ ମଧ୍ୟ ବେଶ୍ ଆଗେଇ ଚାଲିଛି। ସେବକମାନେ ଗୋଟିଏ ଗୋଟିଏ ସିଂହାସନ ମୁହାଁଟିର ପ୍ରାଇମର୍ ଦେବା ପରେ ଏବେ ସେଥିରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାସହ ତିନିରଥର ବାକି ଥିବା ୧୨ଟି ନାଟ ଗୋଡ଼ରେ ମଧ୍ୟ ରଙ୍ଗ ପାଇଁ ପ୍ରାଇମର୍ ଦେବା କାର୍ଯ୍ୟ ସରିଛି। ପାର୍ଶ୍ୱ ଦେବଦେବୀ ମୂର୍ତ୍ତିଗୁଡ଼ିକରେ ରଙ୍ଗ କାମ ସହିତ କଳସ, ଠେକେରା ବାଡ଼ ଏବଂ କନ୍ୟା ପଟାରେ ରଙ୍ଗ ଦେବା ପ୍ରକ୍ରିୟା ଜାରି ରହିଛି। ସେହିପରି ରଥର ବାହ୍ୟ ଅଂଶ ଯେପରିକି ଗୁଜ, ଚକ ଓ ଦଣ୍ଡା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
କମାରଶାଳରେ କଣ୍ଟା ନିର୍ମାଣ ଶେଷ
ଦୋଳବେଦି ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ନିଜର ଦାୟିତ୍ୱ ସୂଚାରୁରୂପେ ତୁଲାଇଛନ୍ତି। ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଧୂଳି ଦଣ୍ଡା କଣ୍ଟା, ପ୍ରଭା କଣ୍ଟା ଏବଂ ସିଂହାସନ ଗୁଣ୍ଠି କଣ୍ଟା ନିର୍ମାଣ କାର୍ଯ୍ୟ ସେବକମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଶେଷ ହୋଇଛି। ମହାପ୍ରଭୁଙ୍କ ଘୋଷଯାତ୍ରା ସମୟ ପାଖେଇ ଆସୁଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ସେବକମାନେ ଦିନରାତି ଏକ କରି ଦେଇଛନ୍ତି।