ଭୁବନେଶ୍ୱର: ରାଜ୍ୟର ସରକାରୀ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ହଷ୍ଟେଲ୍ ରୋଷେଇଘରରେ ଏଣିକି ପର୍ଯ୍ୟାୟକ୍ରମେ ପାଇପ୍ଡ ନ୍ୟାଚୁରାଲ୍ ଗ୍ୟାସ୍ (PNG) ବ୍ୟବହାର କରାଯିବ। ଏଲପିଜି ଗ୍ୟାସ୍ ଯୋଗାଣରେ ବାରମ୍ବାର ଦେଖାଦେଉଥିବା ସମସ୍ୟା ଓ ବିଳମ୍ବକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟର କେଉଁ କେଉଁ ହଷ୍ଟେଲରେ PNG ସଂଯୋଗ ସମ୍ଭବ, ସେନେଇ ତୁରନ୍ତ ସର୍ଭେ କରିବାକୁ କୁହାଯାଇଛି। ବିଶେଷକରି ଯେଉଁ ଶିକ୍ଷାନୁଷ୍ଠାନ ନିକଟରେ PNG ଭିତ୍ତିଭୂମି ଉପଲବ୍ଧ ଅଛି, ସେଠାରେ ଶୀଘ୍ର ସଂଯୋଗ ନେବାକୁ ପରାମର୍ଶ ଦିଆଯାଇଛି।
ଉଚ୍ଚଶିକ୍ଷା ବିଭାଗର ଲକ୍ଷ୍ୟ ହେଉଛି, ଏଲପିଜି ସିଲିଣ୍ଡର ଅଭାବ କିମ୍ବା ଯୋଗାଣରେ ବିଳମ୍ବ ଯୋଗୁଁ ଛାତ୍ରଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତିରେ କୌଣସି ପ୍ରକାର ବାଧା ସୃଷ୍ଟି ନହେଉ। ହଷ୍ଟେଲ୍ କିଚେନରେ ରୋଷେଇ କାର୍ଯ୍ୟ ନିରବଚ୍ଛିନ୍ନ ଭାବେ ଚାଲିବା ସହ ଛାତ୍ରଛାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି।
ଏହାସହ PNG ବ୍ୟବହାର ସମୟରେ ସମସ୍ତ ସୁରକ୍ଷା ମାନଦଣ୍ଡ ଓ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ହଷ୍ଟେଲ୍ ଭିତ୍ତିକ PNG ସଂଯୋଗ ସମ୍ଭାବନା ସମ୍ପର୍କିତ ସବିଶେଷ ରିପୋର୍ଟ ଜୁନ୍ ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି।
ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ହଷ୍ଟେଲଗୁଡ଼ିକରେ ରୋଷେଇ ପ୍ରଣାଳୀ ଅଧିକ ସୁରକ୍ଷିତ, ସୁବିଧାଜନକ ଓ ନିରବଚ୍ଛିନ୍ନ ହେବ। ସେହିପରି ଏଲପିଜି ନିର୍ଭରତା କମିବା ସହ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଜୀବନ ଉପରେ ଯୋଗାଣ ସମସ୍ୟାର ପ୍ରଭାବ ମଧ୍ୟ କମିବ ବୋଲି ଆଶା କରାଯାଉଛି।