ଭୁବନେଶ୍ୱର: ରାଜ୍ୟ ସରକାରୀ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ତ୍ରୁଟି ସମ୍ପର୍କିତ ତଦନ୍ତ ରିପୋର୍ଟ କମିଟି ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି । ଉନ୍ନୟନ କମିଶନରଙ୍କ ନେତୃତ୍ୱାଧୀନ ଟିମ୍ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି । ପାଠ୍ୟ ପୁସ୍ତକ ପ୍ରସ୍ତୁତିଠାରୁ ଆରମ୍ଭ କରି ମୁଦ୍ରଣ ପର୍ଯ୍ୟନ୍ତ ଆରମ୍ଭ କରି ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।ଅନ୍ୟପକ୍ଷରେ ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ଭୁଲ ପାଠ୍ୟ ପୁସ୍ତକ ପ୍ରସଙ୍ଗକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ପୂର୍ବରୁ ତ୍ରୁଟି ଘଟିଥିଲା, କିନ୍ତୁ ଏଥର ପରିମାଣ ଅସାଧାରଣ ଭାବରେ ଅଧିକ ରହିଛି। ସ୍କ୍ରିପ୍ଟ୍ ପ୍ରସ୍ତୁତି ଏବଂ ଯାଞ୍ଚ ଠାରୁ ମୁଦ୍ରଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଯାଞ୍ଚ ଆବଶ୍ୟକ। ଏଥିରେ ପ୍ରତ୍ୟେକ ଦୋଷୀଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତତସହିତ ଆଗାମୀ ଦିନରେ ଯେପରି ଏଭଳି ତ୍ରୁଟିର ପୁନରାବୃତ୍ତି ନ ଘଟେ ସେଥିପ୍ରତି ପଦକ୍ଷେପ ନିଆଯିବ । ସେହିପରି ଛାତ୍ରଛାତ୍ରୀଙ୍କ ଠାରୁ ପୁରୁଣା ପୁସ୍ତକ ପ୍ରତ୍ୟାହାର କରାଯାଇ ସଂଶୋଧିତ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ତଦନ୍ତ ରିପୋର୍ଟ ଦାଖଲ ପରେ ସରକାର ଦୋଷୀଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।