ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ଦାନ ବାକ୍ସ ଏବଂ ଅର୍ପଣ କରାଯାଇଥିବା ସାମଗ୍ରୀ ଚୋରି ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାମଲାରେ ସାମିଲ ଥିବା ସମସ୍ତ ୮ ଜଣ ନାମିତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଅଯୋଧ୍ୟାର ବିଭିନ୍ନ ସ୍ଥାନରୁ ଏମାନଙ୍କୁ କାବୁ କରାଯାଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବ। ଅଧିକ ପଚରାଉଚରା ପାଇଁ ପୋଲିସ ଏହି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ କୃଷ୍ଣ ମୋହନଙ୍କ ଅଭିଯୋଗ ଆଧାରରେ ଗୁରୁବାର ରାତିରେ ଅଯୋଧ୍ୟା ପୋଲିସ ଏହି ମାମଲା ରୁଜୁ କରିଥିଲା। ରାମ ମନ୍ଦିରରେ ଦାନ ଏବଂ ଭେଟି ଆକାରରେ ମିଳୁଥିବା କୋଟି କୋଟି ଟଙ୍କାର ହେରଫେର ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରାଯାଇଥିଲା। ଏସଆଇଟି ତାର ପ୍ରାଥମିକ ରିପୋର୍ଟ ପ୍ରଦାନ କରି ଅପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ଼ ସୁପାରିଶ କରିବା ପରେ ପୋଲିସ ତତ୍କାଳ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମାମଲା ରୁଜୁ କରି ୮ ଜଣଙ୍କୁ ଗିରଫ କରିଛି।
କିଏ ଏହି ୮ ଅଭିଯୁକ୍ତ ?
ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ରାମ ମନ୍ଦିରର ଦାନ ବାକ୍ସରୁ ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀ ଗଣତି ପ୍ରକ୍ରିୟା ସହ ଜଡ଼ିତ ଥିଲେ। ଏମାନଙ୍କ ମଧ୍ୟରେ ଟ୍ରଷ୍ଟର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ନିକଟତମ ସହଯୋଗୀ ଓ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି, ଯିଏ ଗଣତି ଦାୟିତ୍ୱରେ ଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ,ରାମଶଙ୍କର ଯାଦବ ଓରଫ ଟିନ୍ନୁ, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ଅବିନାଶ ଶୁକ୍ଲା, ମନୀଷ ଯାଦବ, ସୁଭାଷ ଶ୍ରୀବାସ୍ତବ,କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର।
ପୋଲିସ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ସଂଗୀନ ଧାରା ଲଗାଇଛି। ଏଥିରେ କର୍ମଚାରୀଙ୍କ ଦ୍ୱାରା ଚୋରି (ଧାରା ୩୦୬), ବିଶ୍ୱାସଘାତକତା (ଧାରା ୩୧), ଚୋରି ସାମଗ୍ରୀ ଲୁଚାଇବା (ଧାରା ୩୧୭) ଏବଂ ଅପରାଧିକ ଷଡ଼ଯନ୍ତ୍ର (ଧାରା ୬୧) ଭଳି ମାମଲା ରୁଜୁ କରାଯାଇଛି। ଏହା ସହିତ ଦୁର୍ନୀତି ନିବାରଣ ଆଇନ ମଧ୍ୟ ଲଗାଯାଇଛି।
ବଢ଼ୁଛି ରାଜନୀତି
ରାମ ମନ୍ଦିର ଭଳି ଏକ ସମ୍ବେଦନଶୀଳ ଏବଂ ପବିତ୍ର ସ୍ଥାନରୁ ଦାନ ଅର୍ଥ ଚୋରି ମାମଲା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ପକ୍ଷରୁ ଏହାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ସେପଟେ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାରେ ନିରପେକ୍ଷ ତଦନ୍ତ କରାଯାଉଛି ଏବଂ କୌଣସି ବି ଦୋଷୀଙ୍କୁ ଆଦୌ ଛଡ଼ାଯିବ ନାହିଁ।
ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ପୋଲିସ ରିମାଣ୍ଡ ଆବେଦନ ଉପରେ ଶୁଣାଣି ହେବ। ରିମାଣ୍ଡ ମିଳିଲେ ଚୋରି ହୋଇଥିବା ଟଙ୍କା ଓ ସାମଗ୍ରୀ କେଉଁଠି ଲୁଚାଯାଇଛି ଏବଂ ଏହି ର଼୍ୟାକେଟ୍ରେ ଆଉ କେଉଁ ବଡ଼ ମୁଣ୍ଡ ସାମିଲ ଅଛନ୍ତି, ସେନେଇ ପୋଲିସ ଗୁମର ଖୋଲିବ ବୋଲି ଆଶା କରାଯାଉଛି।