ନୂଆଦିଲ୍ଲୀ: ୟୁରୋପୀୟ ଦେଶ ଡେନମାର୍କରେ ଇସଲାମିକ ପ୍ରାର୍ଥନା 'ଅଜାନ'ର ସାର୍ବଜନୀନ ଉପରେ ଦେଶବ୍ୟାପୀ ନିଷେଧାଦେଶ ଜାରି କରିବାକୁ ପ୍ରସ୍ତୁତି ଜୋର ଧରିଛି। ଦେଶରେ ବଢ଼ୁଥିବା ଇସଲାମୀକରଣ ଏବଂ ସାର୍ବଜନୀନ ସ୍ଥାନର ବ୍ୟବହାରକୁ ନେଇ ସୃଷ୍ଟି ହୋଇଥିବା ଚିନ୍ତା ମଧ୍ୟରେ ଡେନମାର୍କ ସରକାର ଏଭଳି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଡେନମାର୍କର ମନ୍ତ୍ରୀ ମୋର୍ଟେନ ବୋଡସ୍କୋଭ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
'ଏହା ଡେନମାର୍କ, ଇସଲାମାବାଦର ଉପକଣ୍ଠ ନୁହେଁ'
ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ମନ୍ତ୍ରୀ ମୋର୍ଟେନ ବୋଡସ୍କୋଭ କହିଛନ୍ତି, ଡେନମାର୍କର ଛାତ ଉପରେ ଅଜାନର ଶବ୍ଦ ଶୁଣାଯିବା ଉଚିତ୍ ନୁହେଁ। ଏହାର ଡେନମାର୍କରେ କୌଣସି ସ୍ଥାନ ନାହିଁ। ଆପଣ ଯେତେବେଳେ ଡେନମାର୍କରେ ବୁଲୁଛନ୍ତି, ଆପଣ ପାକିସ୍ତାନର 'ଇସଲାମାବାଦର କୌଣସି ଏକ ସହରତଳି ବା ଉପକଣ୍ଠ'ରେ ପହଞ୍ଚିଗଲେ ବୋଲି ଯେପରି ସନ୍ଦେହ ନଆସେ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଧୀରେ ଧୀରେ ବଢ଼ୁଥିବା ଇସଲାମୀକରଣ ଦେଶର ସାଧାରଣ ସ୍ଥାନଗୁଡ଼ିକୁ ଅତିରିକ୍ତ ଭାବେ କବ୍ଜା କରୁଛି, ଯାହା ଧର୍ମନିରପେକ୍ଷ ସମାଜ ପାଇଁ ଠିକ୍ ନୁହେଁ।
ନିଷେଧାଦେଶ ପାଇଁ ଏହା ତୃତୀୟ ପ୍ରୟାସ
ମସଜିଦ୍ଗୁଡ଼ିକରୁ ହେଉଥିବା ଅଜାନ ପ୍ରସାରଣକୁ ରୋକିବା ପାଇଁ ଡେନମାର୍କ କର୍ତ୍ତୃପକ୍ଷଙ୍କ ଏହା ପ୍ରଥମ ପ୍ରୟାସ ନୁହେଁ। ଏହାପୂର୍ବରୁ ୨୦୨୦ ଏବଂ ୨୦୨୫ ମସିହାରେ ମଧ୍ୟ ଏଭଳି ଆଇନ ପ୍ରଣୟନ ପାଇଁ ଉଦ୍ୟମ କରାଯାଇଥିଲା, କିନ୍ତୁ ତାହା ସଫଳ ହୋଇପାରିନଥିଲା। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ନେତୃତ୍ୱରେ ଗଠିତ ନୂଆ ସରକାର ଏହି ପ୍ରସ୍ତାବିତ ନିଷେଧାଦେଶର ଆଇନଗତ ଦିଗ ଏବଂ ସମ୍ଭାବ୍ୟତା ସମ୍ପର୍କରେ ପୁନର୍ବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଡେନମାର୍କର ମୋଟ ଜନସଂଖ୍ୟାର ପ୍ରାୟ ୫ ପ୍ରତିଶତ (ପ୍ରାୟ ୨.୭ ରୁ ୩ ଲକ୍ଷ) ମୁସଲିମ ସମୁଦାୟର ସଦସ୍ୟ ଏବଂ ସେମାନେ ସେଠାକାର ସବୁଠାରୁ ବଡ଼ ସଂଖ୍ୟାଲଘୁ ଗୋଷ୍ଠୀ। ଦେଶରେ ପ୍ରାୟ ୧୦୦ଟି ମସଜିଦ ରହିଛି।
Also read: ସାର୍ବଜନୀନ ହେଲା ‘ଅପରେସନ ସିନ୍ଦୂର’ର ସହିଦଙ୍କ ନାମ, ୬ ଜଣ ବୀର ଯବାନ ଦେଇଛନ୍ତି ପ୍ରାଣବଳୀ