ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଥିବା ରଣନୀତିକ ସମ୍ପର୍କ ଆଗାମୀ ଦିନରେ ଆହୁରି ମଜବୁତ ହେବାକୁ ଯାଉଛି। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଭାରତ ଗସ୍ତ ସମୟରେ ଏକ ବଡ଼ ସଙ୍କେତ ମିଳିଛି ଯେ, ଆସନ୍ତା ବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିପାରନ୍ତି। ଏହାସହ ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ବିବାଦର ସମାଧାନ ପାଇଁ ଏକ ବଡ଼ ବ୍ୟବସାୟିକ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇପାରେ।
ଭାରତ ଗସ୍ତରେ ଆସିଥିବା ଆମେରିକାର ଶୀର୍ଷ କୂଟନୀତିଜ୍ଞ ମାର୍କୋ ରୁବିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି। ଏହି ସମୟରେ ସେ ଟ୍ରମ୍ପଙ୍କ ବାର୍ତ୍ତା ପହଞ୍ଚାଇ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ନିଜକୁ ପିଏମ୍ ମୋଦୀଙ୍କର ଜଣେ 'ବଡ଼ ପ୍ରଶଂସକ' ବୋଲି ଭାବନ୍ତି ଏବଂ ଭାରତ ଆମେରିକା ଉପରେ ଶତପ୍ରତିଶତ ଭରସା ରଖିପାରିବ। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓ୍ବାଶିଂଟନ୍ ଗସ୍ତ ପାଇଁ ଟ୍ରମ୍ପଙ୍କ ପକ୍ଷରୁ ନିମନ୍ତ୍ରଣ ମଧ୍ୟ ଦିଆଯାଇଛି।
ବାଣିଜ୍ୟିକ ତିକ୍ତତା ହେବ ଦୂର!
ଗତ କିଛି ମାସ ହେବ ଶୁଳ୍କ ଏବଂ ରୁଷଠାରୁ ତେଲ କିଣିବାକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ସାମାନ୍ୟ ମତାନ୍ତର ଦେଖାଦେଇଥିଲା। ଏହି ଗସ୍ତ ଦ୍ବାରା ସେହି ତିକ୍ତତାକୁ ସୁଧାରିବା ପାଇଁ ଉଦ୍ୟମ କରାଯାଉଛି। ଦୁଇ ଦେଶ ମଧ୍ୟରେ ଏକ ଦୀର୍ଘକାଳୀନ ବାଣିଜ୍ୟ ଚୁକ୍ତି ନେଇ ସକରାତ୍ମକ ଆଲୋଚନା ଚାଲିଛି, ଯାହା ଦ୍ବାରା ଆମେରିକାର କଠୋର ଶୁଳ୍କ ନୀତିରୁ ଭାରତୀୟ ରପ୍ତାନିକୁ ଆଶ୍ବସ୍ତି ମିଳିପାରେ।ଚୀନର ବଢ଼ୁଥିବା ପ୍ରଭାବକୁ ରୋକିବା ପାଇଁ ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ 'କ୍ୱାଡ୍' ସମେତ ଭାରତ ସହ ସୁରକ୍ଷା ଓ ପ୍ରତିରକ୍ଷା ସମ୍ପର୍କକୁ ଆମେରିକା ସର୍ବାଧିକ ପ୍ରାଥମିକତା ଦେଉଛି ବୋଲି ରୁବିଓ ସ୍ପଷ୍ଟ କରିଛନ୍ତି।