ନ୍ୟୁୟର୍କ: ଗୌତମ ଆଦାନୀଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ଏତେ ସହଜରେ ବନ୍ଦ କରିବା ମୁଡ୍ରେ ନାହାନ୍ତି ଆମେରିକା କୋର୍ଟ। ଆଦାନୀଙ୍କ ଉପରୁ ପ୍ରତାରଣା ଓ ଜାଲିଆତି ଅଭିଯୋଗ ହଟାଇବା ପାଇଁ ଆମେରିକାର ନ୍ୟାୟ ବିଭାଗ ନେଇଥିବା ନିଷ୍ପତ୍ତିକୁ ନେଇ କଡ଼ା ପ୍ରଶ୍ନ କରିଛନ୍ତି ଜଜ୍। କେଉଁ ଆଧାରରେ ଏହି ହାଇ-ପ୍ରୋଫାଇଲ୍ କେସ୍କୁ ପ୍ରତ୍ୟାହାର କରାଯାଉଛି, ତାର ସଠିକ୍ କାରଣ ଏବଂ ସ୍ପଷ୍ଟୀକରଣ ଦେବାକୁ ଆମେରିକା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ୟୁୟର୍କର ବ୍ରୁକଲିନ୍ ସ୍ଥିତ ଆମେରିକୀୟ ଜିଲ୍ଲା ଅଦାଲତର ଜଜ୍ ନିକୋଲାସ୍ ଗାରାଉଫିସ୍ ଆଦାନୀଙ୍କ ଓକିଲମାନଙ୍କ ଦ୍ୱାରା ଦାଖଲ ହୋଇଥିବା କେସ୍ ଖାରଜ ଆବେଦନ ଉପରେ ତୁରନ୍ତ କୌଣସି ରାୟ ଦେବାକୁ ମନା କରିଦେଇଛନ୍ତି। ଜଜ୍ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସଂକ୍ଷିପ୍ତ ଏବଂ ସାଧାରଣ ବୟାନ କୋର୍ଟଙ୍କୁ କୌଣସି ନିଷ୍କର୍ଷରେ ପହଞ୍ଚିବା ପାଇଁ ପର୍ଯ୍ୟାପ୍ତ ନୁହେଁ। କୋର୍ଟ ଆମେରିକା ନ୍ୟାୟ ବିଭାଗକୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି, ଯେଉଁଥିରେ ସେମାନଙ୍କୁ କେସ୍ ପ୍ରତ୍ୟାହାର କରିବାର ସମ୍ପୂର୍ଣ୍ଣ କାରଣ ଦର୍ଶାଇବାକୁ ହେବ।
୨୦୨୪ ମସିହାରେ ଆମେରିକା ପ୍ରଶାସନ ଗୌତମ ଆଦାନୀ ଏବଂ ତାଙ୍କ ଭଣଜା ସାଗର ଆଦାନୀଙ୍କ ବିରୋଧରେ ପ୍ରାୟ ୨,୨୦୦ କୋଟି ଟଙ୍କା ଏକ ବଡ଼ ଦୁର୍ନୀତିର ଅଭିଯୋଗ ଆଣିଥିଲା। ଅଭିଯୋଗ ଅନୁସାରେ, ଭାରତରେ ସୌର ଶକ୍ତି କଣ୍ଟ୍ରାକ୍ଟ ପାଇବା ପାଇଁ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେବାର ଯୋଜନା କରାଯାଇଥିଲା ଏବଂ ଆମେରିକୀୟ ନିବେଶକମାନଙ୍କୁ କମ୍ପାନୀର ଆଣ୍ଟି-କରପ୍ସନ ନୀତି ବିଷୟରେ ମିଛ ସୂଚନା ଦିଆଯାଇଥିଲା। ତେବେ ଆଦାନୀ ଗ୍ରୁପ୍ ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରାଯାଇଛି।
ଟ୍ରମ୍ପ ସରକାରଙ୍କ ନିଷ୍ପତ୍ତି ଉପରେ ଲାଗିଲା ବ୍ରେକ୍ !
ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାର ଆସିବା ପରେ ମେ ମାସରେ ନ୍ୟାୟ ବିଭାଗ କୋର୍ଟଙ୍କୁ ଜଣାଇଥିଲା ଯେ, ସେମାନେ ନିଜର ବିବେକ ଅନୁସାରେ ଏହି ବ୍ୟକ୍ତିଗତ ଅପରାଧିକ ମାମଲା ପାଇଁ ଆଉ ଅଧିକ ସମ୍ସାଧନ ବା ସମୟ ନଷ୍ଟ କରିବାକୁ ଚାହୁଁନାହାନ୍ତି। ତେବେ ନିୟମ ଅନୁସାରେ, କୋର୍ଟଙ୍କ ମଞ୍ଜୁରୀ ବିନା କୌଣସି ଅପରାଧିକ ମାମଲା ଆନୁଷ୍ଠାନିକ ଭାବେ ବନ୍ଦ ହୋଇପାରିବ ନାହିଁ।