ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ଭାରତୀୟ କ୍ରିକେଟ୍ ଦଳ। ପ୍ରଥମ ମ୍ୟାଚ୍ରେ ପରାଜୟ ପରେ ସିରିଜ୍ ବରାବର କରିବା ଶ୍ରେୟସ ଆୟରଙ୍କ ଦଳ ପାଇଁ ବଡ଼ ଆହ୍ୱାନ ହେବ। ୨୦୨୪ ମସିହାଠାରୁ ଟି-୨୦ ସିରିଜ୍ରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ନିଜର ଏହି ରେକର୍ଡକୁ ବଜାୟ ରଖିବାକୁ ଚାହିଁବ। ଅନ୍ୟପଟେ, ଆୟରଲ୍ୟାଣ୍ଡ ଦଳ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ସିରିଜ୍ ଜିତି ଇତିହାସ ରଚିବା ସ୍ୱପ୍ନ ଦେଖୁଛି। ଏଭଳି ପରିସ୍ଥିତିରେ ଆଜିର ମ୍ୟାଚ୍ ପାଇଁ ଭାରତର ପ୍ଲେଇଙ୍ଗ-୧୧ କେମିତି ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ପ୍ରଥମ ମ୍ୟାଚ୍ରେ ୱାଶିଂଟନ୍ ସୁନ୍ଦର ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଖରାପ ବୋଲିଂ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ସୁନ୍ଦର ନିଜ ଓଭରରେ ୧୯ ରନ୍ ଦେଇଥିବା ବେଳେ ପ୍ରସିଦ୍ଧ ୪ ଓଭରରେ ୫୭ ରନ୍ ଲୁଟାଇଥିଲେ। ବିଶେଷ କରି ପ୍ରସିଦ୍ଧଙ୍କ ଗୋଟିଏ ଓଭରରେ ୨୭ ରନ୍ ଆସିବା ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲା। ଏଭଳି ପରିସ୍ଥିତିରେ ପ୍ରସିଦ୍ଧଙ୍କ ସ୍ଥାନରେ ପ୍ରିନ୍ସ ଯାଦବ ଏବଂ ସୁନ୍ଦରଙ୍କ ସ୍ଥାନରେ ସୂର୍ଯ୍ୟାଂଶ ସେଡଗେଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।
ବୈଭବ ସୂର୍ଯ୍ୟବଂଶୀଙ୍କର ହେବ କି ଡେବ୍ୟୁ ?
ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଥମ ମ୍ୟାଚ୍ରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ସଞ୍ଜୁ ସାମସନ, ଇଶାନ କିଷାନ ଏବଂ ଅଧିନାୟକ ଆୟର ସଂଘର୍ଷ କରୁଥିବା ନଜର ଆସିଥିଲେ। ଯଦି ବ୍ୟାଟିଂକୁ ମଜବୁତ କରିବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ଚାହେଁ, ତେବେ ୱାଶିଂଟନ୍ ସୁନ୍ଦରଙ୍କ ବଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଜି ପ୍ଲେଇଙ୍ଗ-୧୧ରେ ସାମିଲ କରାଯାଇପାରେ।
ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଲଗାତାର ୧୨ଟି ସିରିଜ୍ ଜିତିବାର ଭାରତର ବିଜୟ ରଥ ଗତ ଶୁକ୍ରବାର ଭାଙ୍ଗିଯାଇଛି। କିନ୍ତୁ ବିନା କୌଣସି ସିରିଜ୍ ହାରି ଲଗାତାର ୧୬ଟି ଟୁର୍ନାମେଣ୍ଟ ଖେଳିବାର ରେକର୍ଡକୁ ଆଜି ବଞ୍ଚାଇବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ।
ପିଚ୍ ଏବଂ ପାଣିପାଗ ରିପୋର୍ଟ
ଆଜିର ମ୍ୟାଚ୍ ମଧ୍ୟ ସମାନ ପିଚ୍ରେ ଖେଳାଯିବ, ତେଣୁ ଖେଳ ବଢ଼ିବା ସହ ପିଚ୍ ସ୍ଲୋ (ଧିମା) ହେବାର ସମ୍ଭାବନା ରହିଛି। ଏହାସହ ଏଠାରେ ଅତିରିକ୍ତ ବାଉନ୍ସ ମଧ୍ୟ ମିଳିବ। ପାଣିପାଗ ସଫା ରହିବାକୁ ଥିବାରୁ ଆଜି ପୁଣି ଏକ ହାଇ-ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିପାରେ। ଭାରତୀୟ ସମୟ ସନ୍ଧ୍ୟା ୬ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହାର ସିଧାସଳଖ ପ୍ରସାରଣ Sony Sports Network ଚ୍ୟାନେଲ୍ରେ କରାଯାଉଥିବା ବେଳେ Sony LIV ଆପ୍ରେ ଆପଣ ଏହାର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ।
ଦୁଇ ଦଳର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧
ଭାରତ: ସଞ୍ଜୁ ସାମସନ (ୱିକେଟକିପର), ଅଭିଷେକ ଶର୍ମା, ଇଶାନ କିଷନ, ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ୱାଶିଂଟନ୍ ସୁନ୍ଦର/ବୈଭବ ସୂର୍ଯ୍ୟବଂଶୀ/ସୂର୍ଯ୍ୟାଂଶ ସେଡଗେ, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା/ପ୍ରିନ୍ସ ଯାଦବ।
ଆୟରଲ୍ୟାଣ୍ଡ: ଟ୍ରିମ୍ ଟେକ୍ଟର, ରସ୍ ଆଡେୟାର, ହ୍ୟାରୀ ଟେକ୍ଟର, ଲୋରକାନ ଟକର (ଅଧିନାୟକ/ୱିକେଟକିପର), ବେନ୍ କେଲିଟ୍ଜ, ଗାରେଥ୍ ଡେଲାନି, ଜର୍ଜ ଡକରେଲ, ମାଥ୍ୟୁ ହମ୍ଫ୍ରିଜ୍, ମ୍ୟାଟ୍ ହୋଲାର୍ଡ, ଲିଆମ୍ ମ୍ୟାକକାର୍ଥି, ଜୟ ମୁନ୍ଦ୍ରା।