ମାଲକାନଗିରି: ଓଡ଼ିଶା ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ମାଓ ଦମନ ଅଭିଯାନରେ ପୁଣି ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ଯବାନମାନେ ଏକ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛନ୍ତି। ଗୁଣ୍ଠାବେଡ଼ା ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଏହି ବଡ଼ ଧରଣର ମାଓ ଡମ୍ପକୁ ସୁରକ୍ଷାବଳ ଖୋଜି ବାହାର କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଜଙ୍ଗଲରେ ମାଓବାଦୀମାନେ ସକ୍ରିୟ ଥିବା ନେଇ ଗୋପନୀୟ ସୂତ୍ରରୁ ଖବର ମିଳିଥିଲା। ଏହାକୁ ଆଧାର କରି ଡିଭିଏଫ୍ ଯବାନ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେହି ଅଞ୍ଚଳରେ ଏକ ମିଳିତ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ଜଙ୍ଗଲ ଭିତରେ ତଲାସୀ ଅଭିଯାନ ଚାଲିଥିବା ସମୟରେ ଯବାନମାନେ ମାଓବାଦୀଙ୍କ ଦ୍ୱାରା ମାଟିତଳେ ଲୁଚାଇ ରଖାଯାଇଥିବା ଏହି ଗୁପ୍ତ ସାମଗ୍ରୀ ଗଚ୍ଛିତ ସ୍ଥାନକୁ ଠାବ କରିଥିଲେ।
ଜବତ ହୋଇଥିବା ପ୍ରମୁଖ ମାଓ ସାମଗ୍ରୀ
ସୁରକ୍ଷାକର୍ମୀଙ୍କ ଦ୍ୱାରା ଜବତ ହୋଇଥିବା ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅନେକ ମାରାତ୍ମକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ SLR ବନ୍ଧୁକ ଓ ପିସ୍ତଲ, ଅଫୁଟା ଲ୍ୟାଣ୍ଡମାଇନ୍, ୱାକିଟକି ସେଟ୍ , ବନ୍ଧୁକ ତିଆରି ସାମଗ୍ରୀ ଏବଂ ଅନ୍ୟାନ୍ୟ ମାଓ ସାହିତ୍ୟ ରହିଛି।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଏତେ ବଡ଼ ପରିମାଣର ଯୁଦ୍ଧ ସାମଗ୍ରୀ ଓ ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ ହେବା ପରେ, ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ବଡ଼ ଯୋଜନା ପଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସଂପୃକ୍ତ ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଛି।
Also Read: ୪୮ ଘଣ୍ଟାର ଅଲ୍ଟିମେଟମ୍: ପାଠ୍ୟପୁସ୍ତକ ମହାଘୋଟାଲାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ ଚେତାବନୀ