ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ବେଆଇନ ବାଲି କାରବାର ବିରୋଧରେ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ବିରିଡି ବ୍ଲକ୍ ଅନ୍ତର୍ଗତ ଶଙ୍ଖାରୀସାହି ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ଭାବେ ଗଚ୍ଛିତ ବାଲି ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜବତ ହୋଇଥିବା ବାଲିର ପରିମାଣ ୫୦୦ ଟ୍ରିପ୍ରୁ ଅଧିକ ହେବ।
ସରକାରୀ ନିୟମକୁ ବେଖାତିର କରି ସ୍ଥାନୀୟ ଅଞ୍ଚଳରେ ଏହି ବାଲିକୁ ବେଆଇନ ଭାବେ ଗଚ୍ଛିତ କରି ରଖାଯାଇଥିଲା। ବଜାର ଦର ଅନୁସାରେ ଏହି ଜବତ ବାଲିର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି। ମାଫିଆମାନେ ଏହାକୁ ଚୋରା ଚାଲାଣ କରିବା ଉଦ୍ଦେଶ୍ୟରେ ରଖିଥିବା ବେଳେ ପ୍ରଶାସନ ଏହାର ସୂଚନା ପାଇ ଏହି ବଡ଼ ଧରଣର ସଫଳତା ପାଇଛି।
ଘଟଣାସ୍ଥଳରେ ବିଏନଏସ ଧାରା ୧୬୩ ଜାରି
ଚଢ଼ାଉ ସମୟରେ ଏବଂ ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ତତ୍ପରତା ପ୍ରକାଶ ପାଇଛି। ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଘଟଣାସ୍ଥଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲାଗୁ କରାଯାଇଛି। ଏହା ସହିତ ସେହି ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି।
ଜବତ ବାଲି ହେବ ନିଲାମ
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବେଆଇନ ଭାବେ ଜବତ କରାଯାଇଥିବା ଏହି ବିପୁଳ ପରିମାଣର ବାଲିକୁ ସରକାରୀ ନିୟମ ଅନୁଯାୟୀ ଖୁବ୍ଶୀଘ୍ର ନିଲାମ କରାଯିବ। ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ଖନନ ଓ ଚାଲାଣ ଉପରେ କଡ଼ା କଟକଣା ଜାରି କରାଯାଇଛି। ଏହି ବେଆଇନ କାରବାର ପଛରେ କେଉଁ କେଉଁ ବାଲି ମାଫିଆ ସାମିଲ ଅଛନ୍ତି, ସେ ନେଇ ପ୍ରଶାସନ ଓ ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।