ଭୁବନେଶ୍ୱର: ସରୁନି ତାମିଲନାଡ଼ୁର ଦୁଃଖ, ସୁଖୁନି ଆଖିରୁ ଲୁହ । ଗୋଟିଏ ପରେ ଗୋଟିଏ ମାଆ କୋଳ ଶୂନ୍ୟ ହୋଇଯାଉଛି । ତାମିଲନାଡୁର ତିରୁଭଲ୍ଲୁର ଗ୍ୟାସ୍ ଲିକ୍ ଅଘଟଣରେ ପୁଣି ଆଉ ଗୋଟିଏ ଜୀବନ ଦୀପ ଲିଭି ଯାଇଛି । ମୃତ ମହିଳା ଶ୍ରମିକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର କବିତା ଜୁଆଙ୍ଗ । ଏନେଇ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ମାସ ୨୧ ତାରିଖର ତିରୁଭଲୁର ଜିଲ୍ଲା ଅନ୍ତର୍ଗତ କାନିଗାଇପେରସ୍ଥିତ ସେଣ୍ଟ ପିଟର୍ ଆଣ୍ଡ ପାଉଲି ସିଫୁଡ୍ କମ୍ପାନିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏଥିରେ ବେଳେ ଓଡ଼ିଶାର ୧୨ ଜଣ ମହିଳା ଶ୍ରମିକ ପ୍ରାଣ ହରାଇଛନ୍ତି । ଆଉ ସମସ୍ତେ କେନ୍ଦୁଝର ଜିଲ୍ଲାର ଅଟନ୍ତି । ମୃତ ମହିଳା ଶ୍ରମିକମାନେ ହେଲେ ଶିବାନୀ, ଗୀତା, ଗୁମଣୀ, ଜମୀନୀ, ଫୁଲମଣି, ସଜନୀ, ଚମ୍ପାବତୀ, ସୁବାସୀ, ରୀତା, ଦୀପାଞ୍ଜଳୀ, ସୁମିତ୍ରା ଜୁଆଙ୍ଗ ଓ କବିତା ଜୁଆଙ୍ଗ । ଅଧିକାଂଶ ତେଲକୋଇ ଓ ବାଂଶପାଳର ଅଟନ୍ତି ।
ଅନ୍ୟପକ୍ଷରେ ତାମିଲନାଡ଼ୁରେ ଦାଦନ ଖଟୁଥିବା ୬୨ ଜଣ ମହିଳା ଓ ପୁରୁଷ ଦାଦନ ଶ୍ରମିକ ଓଡ଼ିଶା ଫେରିଆସିଛନ୍ତି । ସେମାନଙ୍କ ମଧ୍ୟରୁ ୫୮ ଜଣ ଓଡ଼ିଶାର ଅଟନ୍ତି ।