ଭୁବନେଶ୍ୱର: ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ’ ତଥା ଅନ୍ତର୍ଜାତୀୟ MSME ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟର ଅର୍ଥନୈତିକ ବିକାଶରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କୁ ମୂଳ ଇଞ୍ଜିନ୍ ଭାବେ ଅଭିହିତ କରି ଏହାର ଭିତ୍ତିଭୂମି ବିକାଶ ପାଇଁ ଅନେକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱରଠାରେ ୨୪ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ‘ରାଇସ୍ ମିଲିଙ୍ଗ୍ କ୍ଲଷ୍ଟର’ର ଉଦ୍ଘାଟନ କରିଛନ୍ତି । ଯାହା ରାଇସ୍ ବ୍ରାନ୍ ଅଏଲ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ସେହିପରି ପାରମ୍ପରିକ ସୁସ୍ୱାଦୁ ଖାଦ୍ୟର ପ୍ରସାର ପାଇଁ ପାହାଳଠାରେ ୧୭ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ଏକ ‘ରସଗୋଲା କ୍ଲଷ୍ଟର’ ପାଇଁ ଶିଳାନ୍ୟାସ କରାଯାଇଛି। ଏହାଦ୍ୱାରା ପାହାଳର ଦୈନିକ ଉତ୍ପାଦନ କ୍ଷମତା ୭ ହଜାର କେଜିରୁ ୧୧ ହଜାର କେଜିକୁ ବୃଦ୍ଧି ପାଇବ ।
ଏହା ବ୍ୟତୀତ ଗଞ୍ଜାମର ବରପାଲ୍ଲି ଓ କଳାହାଣ୍ଡିର କେସିଙ୍ଗାଠାରେ ୧୦ କୋଟି ଟଙ୍କା ଲେଖାଏଁ ବ୍ୟୟରେ ୨ଟି ‘ମଲ୍ଟି-ପ୍ରଡକ୍ଟ MSME ପାର୍କ’ର ଉଦ୍ଘାଟନ କରାଯାଇଛି। ଆଗାମୀ ଦିନରେ ଏକ ଇଞ୍ଜିନିୟରିଙ୍ଗ୍ କ୍ଲଷ୍ଟର, ମୁଦ୍ରଣ ଓ ପ୍ୟାକେଜିଙ୍ଗ୍ କ୍ଲଷ୍ଟର ଏବଂ କାଜୁ କ୍ଲଷ୍ଟରର ଶୁଭାରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ମଲ୍ଟି ପ୍ରଡକ୍ଟ MSME ପାର୍କ ସ୍ଥାପନ କରାଯାଉଛି ବୋଲି ସେ କହିଥିଲେ। ରାଜ୍ୟରେ MSME ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଓଡ଼ିଶାର ୪ ଲକ୍ଷ ୩୨ ହଜାରରୁ ଅଧିକ MSME ଉପକୃତ ହୋଇଛନ୍ତି।
ପିଏମଇଜିପି (PMEGP) ଜରିଆରେ ୪,୯୦୦ କ୍ଷୁଦ୍ର ଉଦ୍ୟୋଗକୁ ୧୪୬ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଛି, ଯେଉଁଥିରେ ୪୨.୫ ପ୍ରତିଶତ ହିତାଧିକାରୀ ହେଉଛନ୍ତି ମହିଳା। କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାରେ ୨୩ ହଜାର କୋଟିରୁ ଅଧିକ ଟଙ୍କାର ବନ୍ଧକମୁକ୍ତ ଋଣ ପ୍ରଦାନ କରାଯାଇଥିବା ବେଳେ CM-SRIM ଯୋଜନାରେ ସରକାର ସୁଧ ଭାର ବହନ କରୁଛନ୍ତି।
ଓଡ଼ିଶାର ପଣ୍ୟଦ୍ରବ୍ୟ ରପ୍ତାନି ଗତ ବର୍ଷ ୯୫,୫୬୮ କୋଟି ଟଙ୍କାରେ ପହଞ୍ଚିଛି । ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତିକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା ପାଇଁ MSME କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ । ସମସ୍ତଙ୍କ ମିଳିତ ଉଦ୍ୟମରେ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ସେ ଆହ୍ୱାନ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରୀ କହିଛନ୍ତି ଯେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ଯୋଜନା ଉପରେ ବିଶେଷ ଫୋକସ ରହିଥିବା ବେଳେ ଓଡ଼ିଶା ଆଜି ବିକାଶର ଏକ ନୂଆ କିରଣ ସାଜିବା ସହ ଏକ ଉଦୀୟମାନ ତାରକା ଭାବେ ଉଭା ହୋଇଛି । ଓଡ଼ିଶାର ଜିଏସଡିପି (GSDP) ଅଭିବୃଦ୍ଧି ହାର ଜାତୀୟ ଜିଡିପି (GDP) ଠାରୁ ଅଧିକ ରହିଥିବା ବେଳେ ରାଜ୍ୟର ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଯୋଗୁଁ ନୀତି ଆୟୋଗର Fiscal Health Index- ୨୦୨୬ ରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ରାଜ୍ୟର ଏହି ସୁଦୃଢ଼ ଆର୍ଥିକ ନୀତି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବର୍ତ୍ତମାନ ବୟନଶିଳ୍ପ ଓ ପର୍ଯ୍ୟଟନ ଭଳି Sunrise Sectors ଗୁଡ଼ିକରେ ବେଶ୍ ଆଗକୁ ବଢ଼ୁଥିବା ଦର୍ଶାଇ ଏହାକୁ ଏକ 'ଡାଇନାମିକ ଓଡ଼ିଶା' ବୋଲି ଅଭିହିତ କରିଛନ୍ତି।
ଏହି ଅବସରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ ଆଜିର ଏହି ସୁଯୋଗରୁ MSME କ୍ଷେତ୍ରରେ ବଡ଼ ସଫଳତା ହାସଲ କରାଯାଇପାରିବ । ମହିଳା ଉଦ୍ୟୋଗୀଙ୍କ ଉଦ୍ୟମରେ ୨୦୩୬ ସୁଦ୍ଧା ଥିବା ଓଡ଼ିଶାର ସ୍ୱପ୍ନ ପୂର୍ଣ୍ଣ ହୋଇପାରିବ ।
ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ନୀତି ଆୟୋଗର କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ତଥା ମହିଳା ଉଦ୍ୟୋଗିତା ମଞ୍ଚର ମିଶନ ନିର୍ଦ୍ଦେଶିକା ସୁଶ୍ରୀ ଆନା ରୟ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ୍ ଏବଂ ଆଭାସୀ ମାଧ୍ୟମରେ ଗଞ୍ଜାମ, ବାଲେଶ୍ୱର ଓ କଳାହାଣ୍ଡି ଜିଲ୍ଲାପ୍ରଶାସନ ସମେତ ବହୁ ଶିଳ୍ପପତି, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗୀ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସହସ୍ରାଧିକ ମହିଳା ଉଦ୍ୟୋଗୀ ଉପସ୍ଥିତ ଥିଲେ।