କେନ୍ଦୁଝର: ବହୁତ ହୋଇଗଲା, ଆଉ ବାହାରକୁ କାମ କରିବାକୁ ଯିବୁ ନାହିଁ । ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ କେନ୍ଦୁଝର ଜିଲ୍ଲାର ୧୧ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିବା ପରେ, ସେଠାରୁ ଜୀବନ ନେଇ ଫେରିଥିବା ଶ୍ରମିକମାନେ ଏଭଳି କହିଛନ୍ତି । ଆଜି ସେଠାରୁ ୬୨ ଜଣ ମହିଳା ଓ ପୁରୁଷ ଦାଦନ ଶ୍ରମିକ ଓଡ଼ିଶା ଫେରିଆସିଛନ୍ତି ।
ଓଡ଼ିଶା ଫେରିଥିବା ଶ୍ରମିକଙ୍କ ମଧ୍ୟରେ କେବଳ କେନ୍ଦୁଝର ଜିଲ୍ଲାର ୫୮ ହୋଇଥିବାବେଳେ ଅନ୍ୟ ୪ ଜଣ କୋରାପୁଟ, ରାୟଗଡ଼ା, ମୟୁରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ଜଣେ ଲେଖାଏଁ ଅଛନ୍ତି । ତାମିଲନାଡ଼ୁରୁ ପ୍ରଥମେ ଭୁବନେଶ୍ୱର ଏବଂ ସେଠାରୁ ବସ୍ ରେ କେନ୍ଦୁଝର ଆଣିବା ପରେ ସମସ୍ତଙ୍କୁ ନିଜ ନିଜ ବ୍ଲକକୁ ପଠାଇଛି ଜିଲ୍ଲା ପ୍ରଶାସନ ସେଠାରୁ ସେମାନେ ନିଜ ଗାଁକୁ ଫେରିବେ ।
ଆଜି ତାମିଲନାଡ଼ୁରୁ ଫେରିଲେ ସୁସ୍ଥ ଶ୍ରମିକ । ୨୩ ଜଣ ଯୁବତୀ ଏବଂ ୩୫ ଜଣ ଯୁବକ । ତାମିଲନାଡ଼ୁରୁ ଟ୍ରେନ ମାଧ୍ୟମରେ ଆସିବାପରେ ସ୍ୱତନ୍ତ୍ର ବସ୍ ରେ କେନ୍ଦୁଝର ଫେରିଛନ୍ତି। ଘଟଗାଁ ନିକଟରୁ ଏକ ବସ୍ ମାଧ୍ୟମରେ ହରିଚନ୍ଦନପୁର ବ୍ଲକକୁ ୧୦ ଜଣ, ଘଟଗାଁ ବ୍ଲକର ୨ ଜଣ ଯାଇଥିବା ବେଳେ ଅନ୍ୟ ଏକ ବସ୍ ଯୋଗେ ତେଲକୋଇ ଓ ବାଂଶପାଳର ୪୬ ଜଣ ଶ୍ରମିକଙ୍କୁ ପଠାଯାଇଛି। ସେମାନଙ୍କ କହିବା ଅନୁଯାୟୀ କେନ୍ଦୁଝର ରେ ସେମାନଙ୍କୁ କାମଧନ୍ଦା ମିଳୁନଥିବାରୁ ଅଧିକ ଟଙ୍କା ରୋଜଗାର କରିବା ଆଶା ନେଇ ଯାଇଥିଲେ। ବିଭିନ୍ନ ଅଞ୍ଚଳ ରୁ ଶ୍ରୀକାନ୍ତ ଜୁଆଙ୍ଗ ଯୁବତୀ ଓ ଯୁବକ ମାନଙ୍କୁ ନେଇ କାମରେ ଲଗାଉଥିଲେ। ହେଲେ ସବୁଦିନ ପରି ସବୁ ଠିକ ଠାକ ଥିଲା। ଆଉ ନିଜ ନିଜ କାମକୁ ବାହାରି ପଡିଲେ। ହେଲେ କିଏ ଜାଣିଥିଲା ଏମାନଙ୍କ ସହ ଏମିତି କିଛି ଦୁର୍ଘଟଣା ଘଟିବ ବୋଲି।
ସେଠାରେ ପ୍ରାୟ ୫୦୦ ଯୁବକ ଯୁବତୀ ରହି କାମ କରୁଥିଲେ ବୋଲି କହିଛନ୍ତି । ସମସ୍ତ ଶ୍ରମିକଙ୍କୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତତ୍ତ୍ୱାବଧାନରେ ଘରକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରଯାଇଥିଲା। ଘଟଣା ଏତେ ଦିନ ମଧରେ ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ଜୁଆଙ୍ଗଙ୍କ ନାମରେ ଶ୍ରମ୍ ଵିଭାଗ କୌଣସି ମାମଲା ରୁଜୁ ନକରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ କୌଣସି ଶ୍ରମ ଵିଭାଗ ଅଧିକାରୀଙ୍କ ପତିକ୍ରିୟା ମିଳି ପାରିନାହିଁ
ସେପଟେ ଜିଲ୍ଲା ପ୍ରଶାସନ ସହଯୋଗ ରେ ସମସ୍ତ ଶ୍ରମିକଙ୍କୁ ଘରକୁ ଫେରାଇ ଅଣାଯାଉ ଥିଲାବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ନାୟକ । ଶ୍ରମିକଙ୍କ ସୁରକ୍ଷା ସହ ଆଗକୁ ଦାଦନ କମିବା ନେଇ ପ୍ରୟାସ କରାଯିବ ବୋଲି ପ୍ରକାଶ କରିଛନ୍ତି ସାଂସଦ ଅନନ୍ତ ନାୟକ ।