ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ଅଟକ ଥିବା ତାଙ୍କ ଓଏଏସ୍ ପୁରୁଷ ବନ୍ଧୁଙ୍କ ଉପରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ନୂଆ କରି ନିଯୁକ୍ତି ପାଇଥିବା ଓଡ଼ିଶା ଟ୍ୟାକ୍ସେନ୍ ଆଣ୍ଡ୍ ଆକାଉଣ୍ଟ ସର୍ଭିସ୍ ଓଟିଏସି ଅଧିକାରୀ ଭୀମସେନ ଟୁଡୁଙ୍କ ଉପରେ ହୋଇଛି ଦୃଢ କାର୍ଯ୍ୟାନୁଷ୍ଠାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟୁଡୁଙ୍କୁ ସରକାରୀ ସେବାରୁ ବହିଷ୍କାର କରିଛନ୍ତି । ଭବିଷ୍ୟତରେ ମଧ୍ୟ ଟୁଡୁ ଆଉ କୌଣସି ସରକାରୀ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ନୂଆ କରି OTAS ପାଇଥିବା ଭୀମସେନ ଟୁଡୁ ତାଙ୍କ ଇଣ୍ଡକ୍ସନ୍ ଟ୍ରେନିଙ୍ଗ୍ ସମୟରେ ୨୦୨୬ ଜୁନ୍ ୪ ତାରିଖଠାରୁ ଅନୁପସ୍ଥିତ ଥିଲେ। ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ (MDRAFM)ରେ ତାଙ୍କ ଶେଷ ପରୀକ୍ଷାରେ ମଧ୍ୟ ଯୋଗ ଦେଇନଥିଲେ । ସେହି ସମୟରେ ସେ ଏକ ମୃତ୍ୟୁ ମାମଲାରେ ବାରଙ୍ଗ ପୋଲିସ ଦ୍ୱାରା ଗିରଫ ହୋଇଥିଲେ ଏବଂ ତାଙ୍କୁ ଜୁଡିସିଆଲ୍ କଷ୍ଟୋଡିକୁ ପଠାଯାଇଛି । ଅପରାଧିକ ମାମଲାରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ପୋଲିସ ଦ୍ୱାରା ଅଟକ ଥିବାରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇ ତାଙ୍କୁ ସିଧାସଳଖ ସରକାରୀ ସେବାରୁ ବରଖାସ୍ତ କରାଯାଇଛି ।
ଚନ୍ଦ୍ରିକା ମୃତ୍ୟୁ ମାମଲାରେ ତାଙ୍କ ପରିବାର ଲୋକେ ଭୀମସେନଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ । ଭୀମସେନ ଚନ୍ଦ୍ରିକାଙ୍କୁ ବିବାହ କରିବାକୁ ମନା କରିବା ସହିତ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକେ କହିଛନ୍ତି । ପୋଲିସ ଅନେକ ସ୍ଥାନରେ ଚଢ଼ଉ କରିବା ପରେ ସେ ମୟୁରଭଞ୍ଜ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ । ଏହା ପରେ ତାଙ୍କୁ ବାରଙ୍ଗ ଥାନାକୁ ଅଣାଯାଇଥିଲେ । ସେବେଠାରୁ ସେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ।