ପୁରୀ: କୋଣାର୍କ ଅସ୍ତରଙ୍ଗ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସରିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଣେ ଶିକ୍ଷକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ଶିକ୍ଷକ ଜଣକ ଆହତ ହୋଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଆଜି ସରିପୁର ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକଙ୍କର ବୈଠକ ବସିଥିଲା । ବୈଠକ ଶେଷ ହେବା ପରେ ୪ ଜଣ ଦୁର୍ବୃତ୍ତ କାର ଓ ବାଇକରେ ଆସି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । କଟୁରୀ ଓ ଲୁହା ଚାପଡ଼ରେ ଶିକ୍ଷକଙ୍କ ଉପରେ ପ୍ରହାର କରାଯାଇଛି । ଫଳରେ ଶିକ୍ଷକ ଜଣକ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବାବେଳେ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଛନ୍ତି । ଶିକ୍ଷକଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।