କଟକ: କଟକ ଜିଲ୍ଲା ନରସିଂହପୁରରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ଥାନା କୁଆଁପାଳ ଛକରେ ମାଣିଆବନ୍ଧ ସରପଞ୍ଚଙ୍କ ସ୍ୱାମୀଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ୩ ଜଣ ଯୁବକ ବାଇକ୍ରେ ଆସି ହଠାତ୍ ସରପଞ୍ଚଙ୍କ ସ୍ୱାମୀଙ୍କ ଉପରେ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ସେମାନେ ଘଟଣାସ୍ଥଳରୁ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ। ଗୁଳିମାଡ଼ରେ ସରପଞ୍ଚଙ୍କ ସ୍ୱାମୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ପଛରେ ପୂର୍ବ ଶତ୍ରୁତା ଥାଇପାରେ ବୋଲି ପ୍ରାଥମିକ ସନ୍ଦେହ କରାଯାଉଛି। ତେବେ ଆକ୍ରମଣର ପ୍ରକୃତ କାରଣ କ'ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗୁଳିମାଡ଼ର ଖବର ପାଇ ମାଣିଆବନ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାକ୍ଷ୍ୟପ୍ରମାଣ ସଂଗ୍ରହ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଫେରାର ଅଭିଯୁକ୍ତମାନଙ୍କୁ ଠାବ କରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଦିନଦ୍ୱିପ୍ରହରରେ ଏଭଳି ସାହସିକ ଗୁଳିମାଡ଼ ଘଟଣା ନରସିଂହପୁର ଅଞ୍ଚଳରେ ଆଇନଶୃଙ୍ଖଳାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ପୁଲିସର ତଦନ୍ତ ପରେ ହିଁ ଗୁଳିକାଣ୍ଡର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ।