ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ଜୟଦେବ ବିହାରର ପାଲ୍ ହାଇଟ୍ସ ଛକ ନିକଟରେ ଚଳନ୍ତା ଏକ ସେଭେନ୍ ସିଟର୍ କାର୍ରେ ହଠାତ୍ ନିଆଁ ଲାଗିଯିବାରୁ କିଛି ସମୟ ପାଇଁ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଦେଖୁଦେଖୁ କାର୍ଟି ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିଥିଲା।
କାର୍ରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ତୁରନ୍ତ ଗାଡ଼ିରୁ ବାହାରି ଯାଇଥିଲେ। ଏହା ଫଳରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଏଡ଼ାଇ ଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ଏସି କମ୍ପ୍ରେସରରେ ସର୍ଟ ସର୍କିଟ୍ ହେବାରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।
ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ସେମାନଙ୍କର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପିବା ପୂର୍ବରୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ଆହତ ହେବାର ସୂଚନା ମିଳିନାହିଁ।
ଅଗ୍ନିକାଣ୍ଡ ପରେ ପାଲ୍ ହାଇଟ୍ସ ଛକରୁ ଜୟଦେବ ବିହାର ଓ ଜାଭିୟର ଛକ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ୍ ଲାଗି ରହିଥିଲା। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବା ସହ ଯାତାୟାତ ବ୍ୟବସ୍ଥା ବ୍ୟାହତ ହୋଇଥିଲା। ପରେ ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ମିଳିତ ଉଦ୍ୟମରେ ସ୍ଥିତି ସ୍ୱାଭାବିକ ହୋଇଥିଲା।