ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ସ୍ଥାୟୀ, ବିଭାଗୀୟ ଓ ଗୃହ କମିଟି ଗଠନ କରାଯାଇଛି । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭାର କାର୍ଯ୍ୟ ପରିଚାଳନା, ସରକାରୀ ବିଭାଗର କାର୍ଯ୍ୟ ସମୀକ୍ଷା, ବଜେଟ୍ ବ୍ୟୟ ଓ ଲୋକଧନର ଉପଯୋଗ ଉପରେ ନଜର ରଖିବା ପାଇଁ ଏହି କମିଟିଗୁଡ଼ିକ ଗଠନ କରାଯାଇଛି ।
ବାଚସ୍ପତି ସୁରମା ପାଢ଼ୀ ୩୫ରୁ ଅଧିକ ପିଏସି କମିଟି ଓ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ପବ୍ଲିକ୍ ଆକାଉଣ୍ଟ କମିଟି ବା ପିଏସିର ଅଧ୍ୟକ୍ଷା ଭାବେ ବିରୋଧୀ ଦଳ ବିଜେଡ଼ିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଦାୟିତ୍ୱ ମିଳିଛି । ଏହି କମିଟିରେ ମୁଖ୍ୟ ସଚେତକଙ୍କୁ ମିଶାଇ ମୋଟ ୧୨ ଜଣ ସଦସ୍ୟ ରହିଛନ୍ତି । ସେମାନେ ହେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଡାକ୍ତର ଅରୁଣ ସାହ, ଗଣେଶ୍ୱର ବେହେରା, ସନାତନ ବିଜୁଳି, ଆକାଶ ଦାସନାୟକ, କଳିକେଶ ନାରାୟଣ ସିଂହଦେଓ, ଅଶୋକ ମହାନ୍ତି, ବାବୁ ସିଂହ, ସନ୍ତୋଷ ଖଟୁଆ, ଅମର ନାୟକ ଓ ଅରବିନ୍ଦ ମହାପାତ୍ର ।
ରୁଲ୍ସ କମିଟିର ଅଧ୍ୟକ୍ଷା ହୋଇଛନ୍ତି ବାଚସ୍ପତି ସୁରମା ପାଢ଼ୀ ଏବଂ ଅନ୍ୟ 6 ଜଣ ସଦସ୍ୟ ରହିଛନ୍ତି । ଅନ୍ୟ ସଦସ୍ୟଗଣ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ପ୍ରତାପ କେଶରୀ ଦେବ, ତୁଷାରକାନ୍ତି ବେହେରା ଓ ସାଗର ଚରଣ ଦାସ ।
ସେହିପରି ପ୍ରିଭିଲେଜ୍ କମିଟି ଅଧ୍ୟକ୍ଷ ଭାବେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ଏହି କମିଟିରେ ମୋଟ ଆଉ ୬ ଜଣ ସଦସ୍ୟ ରହିଛନ୍ତି । ପ୍ରିଭିଲେଜ୍ କମିଟିର ଅନ୍ୟ ସଦସ୍ୟଗଣ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନୋଜ କୁମାର ପ୍ରଧାନ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ନିରଞ୍ଜନ ପୂଜାରୀ ଓ ପ୍ରସନ୍ନ ଆଚାର୍ଯ୍ୟ ଅଛନ୍ତି ।
ସେହିପରି ପବ୍ଲିକ୍ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ଭାବେ ପଦ୍ମଲୋଚନ ପଣ୍ଡା ଏବଂ ଏସିଏସଟି କଲ୍ୟାଣ କମିଟି ଅଧ୍ୟକ୍ଷ ଭାବେ ଭାସ୍କର ମାଢ଼େଇ, ସବ୍ଅର୍ଡିନେଟ୍ ଲେଜିସଲେସନ୍ କମିଟି ଅଧ୍ୟକ୍ଷ ଭାବେ ଇରାସିସ ଆଚାର୍ଯ୍ୟ, ପିଟିସନ କମିଟି ଅଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ଜଗଦେବ, ପେପର୍ ଲେଡ୍ ଅଧ୍ୟକ୍ଷ ଭାବେ ଦୁଷ୍ମନ୍ତ କୁମାର ସ୍ୱାଇଁ ଏବଂ ସରକାରୀ ପ୍ରତିଶ୍ରୁତି କମିଟି ଅଧ୍ୟକ୍ଷ ଭାବେ ଅଶୋକ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଲାଇବ୍ରେରୀ କମିଟି ଅଧ୍ୟକ୍ଷ ଭାବେ ଆକାଶ ଦାସନାୟକ ହୋଇଛନ୍ତି । ଯେଉଁଥିରେ ସମସ୍ତ ନିଲମ୍ବିତ ବିଧାୟକମାନଙ୍କୁ ସ୍ଥାନ ମିଳିଛି । ମହିଳା ଓ ଶିଶୁ କଲ୍ୟାଣ କଲ୍ୟାଣ ଅଧ୍ୟକ୍ଷ ଭାବେ ସିମାରାଣୀ ନାୟକଙ୍କୁ ନିଯୁକ୍ତ କରାଯାଇଛି।
ସେହିପରି ସରକାରୀ ବିଭାଗଗୁଡ଼ିକର କାର୍ଯ୍ୟର ସମୀକ୍ଷା ପାଇଁ ଗଠିତ ବିଭାଗଗତ ସମ୍ପର୍କିତ ସ୍ଥାୟୀ କମିଟିଗୁଡ଼ିକ ପ୍ରଥମରୁ ଦଶମ ଯାଏ ଅଧ୍ୟକ୍ଷ ଭାବେ ଯଥାକ୍ରମେ ସିଦ୍ଧାନ୍ତ ମହାପାତ୍ର, ସନ୍ତୋଷ ଖଟୁଆ, ବାବୁ ସିଂହ, ପୂର୍ଣ୍ଣଚନ୍ଦ୍ର ସେଠୀ, ବିଭୂତି ଭୂଷଣ ପ୍ରଧାନ, ସୁଧୀର ରଞ୍ଜନ ପାଟ୍ଟଯୋଶୀ, ମନୋହର ରାନ୍ଧାରୀ ଏବଂ ସନାତନ ବିଜୁଳିଙ୍କୁ ଦାୟିତ୍ୱ ଦିଆଯାଇଛି।
ଏହାବ୍ୟତୀତ ମହାନଦୀ ଜଳ ବିବାଦ, ଜଗନ୍ନାଥ ମନ୍ଦିର ବିକାଶ, ପରିବେଶ ପ୍ରଦୂଷଣ, ବିସ୍ଥାପନ, ରେଳ ବିକାଶ, ସୀମା ବିବାଦ, ବିଦ୍ୟୁତ ବିତରଣ ଓ ଭାଷାଗତ ସଂଖ୍ୟାଲଘୁଙ୍କ ସମସ୍ୟା ଭଳି ପ୍ରସଙ୍ଗ ଉପରେ ମଧ୍ୟ ବିଭିନ୍ନ ଗୃହ ଓ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟିଗୁଡ଼ିକ ସରକାରୀ କାର୍ଯ୍ୟର ସମୀକ୍ଷା କରି ବିଧାନସଭାରେ ସୁପାରିସ ଓ ରିପୋର୍ଟ ଦାଖଲ କରିବେ।