କେନ୍ଦ୍ରାପଡ଼ା: ବାଲି ମାଫିଆଙ୍କ ଦୌରାତ୍ମ୍ୟ । ସିନେମା ଷ୍ଟାଇଲରେ ବାଲି ଚୋରା ଚାଲାଣ । ଚଢ଼ଉ କରିବାକୁ ଯାଇଥିବାବେଳେ ରାଜନଗର ଅତିରିକ୍ତ ତହସିଲଦାର ଆକ୍ରମଣର ଶିକାର ହୋଇଛନ୍ତି । ସମ୍ପୃକ୍ତ ବାଲି ମାଫିଆଙ୍କୁ ପୋଲିସ ଗିରଫ କରିଛି ।
ରାଜନଗର ଅତିରିକ୍ତ ତହସିଲଦାର ନିୟମିତ ଚଢ଼ଉ ପାଇଁ ବାଇପାସ୍ ରୋଡ୍ ନିକଟରେ ଏକ ବାଲି ବୋଝେଇ ଟ୍ରକ (0D 29 G 4567)କୁ ଅଟକାଇଥିଲେ । ମାତ୍ର ଗାଡ଼ିଟି ଦ୍ରୁତ ଗତିରେ କୌଣସି ସିଗ୍ନାଲ୍ ନ ମାନି ଚାଲିଯାଇଥିଲା । ପ୍ରାୟ ୬ରୁ ୮ କିଲୋମିଟର ଉକ୍ତ ଗାଡ଼ିକୁ କାଠପଙ୍ଗରା ଛକ ପର୍ଯ୍ୟନ୍ତ ପିଛା କରିଥିଲେ । ସେହି ସମୟରେ ଏକ ଅଜଣା କାର୍ (OD 05 CJ 1067) ପ୍ରଶାସନର ଗାଡ଼ି ଏବଂ ହାଇୱା ଟ୍ରକ୍ ଭିତରୁ ପଶି ଆସିଥିଲା । ଯେତେ ହର୍ଣ୍ଣ ବଜାଇ ଥିଲେ ମଧ୍ୟ କାରଟି ଜାଣିଶୁଣି ପଥ ଅବରୋଧ କରିଥିଲା । ଏହି ସମୟରେ ଟ୍ରକ୍ ପଛ ପଟୁ ଏକ ବିସ୍ଫୋରଣ ଭଳି ଶବ୍ଦ ସୃଷ୍ଟି ହୋଇଥିଲା ଏବଂ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଦେଖାଯାଇଥିଲା । ଏହି ସମୟରେ ପ୍ରଶାସନର ଗାଡ଼ି ଅଟକିବାରୁ ଟ୍ରକଟି ରାସ୍ତା ଉପରେ ବାଲି ଅନଲୋଡ୍ କରି ପଥ ଅବରୋଧ କରିଥିଲା । ଏ ନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଁଚିବା ପରେ କାର୍ ଚାଳକ ତହସିଲଦାରଙ୍କ ସହିତ ଯୁକ୍ତି ତର୍କ କରିଥିବା ଅତିରିକ୍ତ ତହସିଲଦାର ଏତଲାରେ ଉଲ୍ଲେଖ କରିଛନ୍ତି ।
ଏହି ମାମଲାରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଉଲ୍ଲେଖ କରାଯାଇଛି ।