ଭୁବନେଶ୍ୱର: ଭୁବନେଶ୍ୱରରୁ ନକଲି ଆଇଏଏସ୍ ଅଧିକାରୀ ଗିରଫ ହୋଇଛନ୍ତି । ସହିଦନଗର ଥାନା ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ସେ ହେଲେ ବରଦା ସୁଧୀର । ତାଙ୍କ ଘର ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାରେ ବୋଲି ଜଣାପଡ଼ିଛି ।
ବରଦା ସୁଧୀର ନିଜକୁ ଆଇଏଏସ୍ ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ । ଲୋକଙ୍କୁ କେତେବେଳେ ଜିଲ୍ଲାପାଳ ତ କେତେବେଳେ ଉପଜିଲ୍ଲାପାଳ ବୋଲି ପରିଚୟ ଦେଉଥିଲା । ଆଜି ବାପୁଜୀନଗର ଅଞ୍ଚଳରେ ଏକ ଚଷମା ଦୋକାନରୁ ଗୋଟିଏ ଦାମୀ ଚଷମା କିଣିଥିଲେ । ଯାହାର ମୂଲ୍ୟ ୫୦ ହଜାର ଟଙ୍କା । ପରେ ଟଙ୍କା ନ ଦେଇ ନିଜକୁ ଉପ ଜିଲ୍ଲାପାଳ ବୋଲି କହି ମୁହଁ ତୋଡ଼ ଦେଖାଇଥିଲେ । ସମ୍ପୃକ୍ତ ଦୋକାନୀଙ୍କର ସନ୍ଦେହ ହେବାରୁ ସେ ସହିଦନଗର ଥାନା ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ପୋଲିସ ତାଙ୍କୁ ଗିରଫ କରିଥିଲା ।
ତେବେ ସୁଧୀରର ଏହା ପେସାରେ ପରିଣତ ହୋଇଯାଇଛି । ତାର ଏମିତି ୧୫ଟି ଠକେଇ ମାମଲା ରହିଛି । ପାରାଦୀପ, ତିର୍ତ୍ତୋଲ, ଭୁବନେଶ୍ୱରରେ ଏକାଧିକ ଥାନାରେ ତା ନାଁରେ ମାମଲା ରହିଛି । ସେଠାରେ ମଧ୍ୟ ସମାନ ଅଭିଯୋଗ ରହିଛି । ସେ ଗିରଫ ହୋଇ ଜେଲ୍ ଯାଉଥିଲା ଏବଂ ପରେ ଜାମିନରେ ଆସି ପୁଣି ସମାନ କାମ କରୁଥିବା ଜଣାପଡ଼ିଛି ।