ମହାରାଷ୍ଟ୍ର: ପ୍ରେମ, ବିଶ୍ୱାସ ଓ ବିବାହର ସ୍ୱପ୍ନ... କିନ୍ତୁ ଶେଷରେ ମିଳିଲା ମୃତ୍ୟୁ। ମହାରାଷ୍ଟ୍ରର ପୁଣେର ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟା ମାମଲା ଏବେ ନୂଆ ମୋଡ଼ ନେଇଛି। ନିଜ ୨୬ ବର୍ଷୀୟ ପୁଅକୁ ହରାଇଥିବା ବାପା ବିଶାଲ ଅଗ୍ରୱାଲ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣେରେ ଭେଟି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଶୀଘ୍ର ନ୍ୟାୟ ପାଇଁ ନିବେଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଫଡନାଭିସ ପରିବାରକୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ଏହି ଜଘନ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ସବୁଠାରୁ କଠୋର ଦଣ୍ଡ ଦିଆଯିବ। ଏହାସହ ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରିବାକୁ ନିର୍ଦ୍ଦେଶ ଦେବା ସହ ବରିଷ୍ଠ ଆଇନଜୀବୀ ଉଜ୍ଜ୍ୱଳ ନିକମଙ୍କୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଭାବେ ନିଯୁକ୍ତ କରିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛନ୍ତି। ଆଇନ ବିଭାଗକୁ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆରେ କୁହାଯାଇଛି ଯେ, କେତନ ଅଗ୍ରୱାଲଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ମହାରାଷ୍ଟ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଦୋଷୀଙ୍କୁ ଆଇନର ସର୍ବୋଚ୍ଚ ଦଣ୍ଡ ଦେବା ଦିଗରେ କୌଣସି ଅବହେଳା କରାଯିବ ନାହିଁ।
ସୂଚନାଯୋଗ୍ୟ, ଜୁନ୍ ୧୮ରେ ପୁଣେର ଲୋହାଗଡ ଦୁର୍ଗକୁ ଟ୍ରେକିଂ କରିବାକୁ ଯାଇଥିବା ବେଳେ କେତନଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମେ ଏହାକୁ ଏକ ଦୁର୍ଘଟଣା ବୋଲି କୁହାଯାଇଥିଲା। କିନ୍ତୁ ପୋଲିସର ଗଭୀର ତଦନ୍ତରେ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ସାମ୍ନାକୁ ଆସିଥିଲା।
ତଦନ୍ତ ଅନୁସାରେ, କେତନଙ୍କ ଭାବିପତ୍ନୀ ସିୟା ନିଜ ପ୍ରେମିକ ଚେତନଙ୍କ ସହ ମିଶି କେତନଙ୍କୁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲେ। ଲୋହାଗଡ ଦୁର୍ଗରେ ସୁଯୋଗ ଦେଖି କେତନଙ୍କୁ ପାହାଡ଼ରୁ ଠେଲି ଦେଇଥିବା ଅଭିଯୋଗ ରହିଛି। ନଭେମ୍ବର ୨୦୨୬ରେ ଉଭୟଙ୍କ ବିବାହ ହେବାକୁ ଥିଲା ଏବଂ ଏଥିପାଇଁ ରାଜସ୍ଥାନର ଉଦୟପୁରରେ ପ୍ରାୟ ୧୭ କୋଟି ଟଙ୍କାର ଏକ ଆଲିଶାନ ପ୍ୟାଲେସ ମଧ୍ୟ ବୁକ୍ କରାଯାଇଥିଲା। କିନ୍ତୁ ବିବାହ ପୂର୍ବରୁ ହିଁ ପ୍ରେମ ସମ୍ପର୍କର ବାଧା ହଟାଇବା ପାଇଁ କେତନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଏହି ଘଟଣାକୁ ସାରା ଦେଶରେ ଚର୍ଚ୍ଚାର ବିଷୟ କରିଛି। ଏବେ ପୀଡ଼ିତ ପରିବାରର ଏକମାତ୍ର ଦାବି ଦୋଷୀଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ମିଳୁ।