ହାଇଦ୍ରାବାଦ: ସିନେପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ସିନେମା ଜଗତର ଇତିହାସ ବଦଳାଇ ଦେଇଥିବା ମେଗା ବ୍ଲକବଷ୍ଟର ଫ୍ରାଞ୍ଚାଇଜ୍ 'ବାହୁବଳୀ'କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ‘ବାହୁବଳୀ: ଦ ବିଗିନିଙ୍ଗ’ ଏବଂ ‘ବାହୁବଳୀ ୨: ଦ କନକ୍ଲୁଜନ’ର ସଫଳତା ପରେ ଏବେ ଏହାର ତୃତୀୟ ଭାଗ ଅର୍ଥାତ୍ ବାହୁବଳୀ ୩’ ଆସିବା ନେଇ ସଙ୍କେତ ମିଳିଛି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ କ୍ଲିପ୍ ପ୍ରଶଂସକଙ୍କ ମଧ୍ୟରେ କୌତହଳକୁ ଦ୍ଵିଗୁଣିତ କରିଦେଇଛି।
ଭାଇରାଲ ଭିଡିଓରୁ ମିଳିଲା ବଡ଼ ହିଣ୍ଟ
ଆଜିକାଲି ଇଣ୍ଟରନେଟରେ ‘ବାହୁବଳୀ: ଦ ଟର୍ଚ୍ଚବିଅରର୍’ (Baahubali: The Torchbearer) ଡକ୍ୟୁମେଣ୍ଟାରୀର ଏକ ସ୍ୱତନ୍ତ୍ର କ୍ଲିପ୍ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଫିଲ୍ମର ମୁଖ୍ୟ କଳାକାର ପ୍ରଭାସ, ରାଣା ଦଗୁବାତୀ ଏବଂ ଅନୁଷ୍କା ଶେଟ୍ଟୀ ଏକାଠି ନଜର ଆସୁଛନ୍ତି। ଆଲୋଚନା ସମୟରେ ରାଣା ଦଗୁବାତୀ କିଛି ଏଭଳି କହିଥିଲେ, ଯାହା ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ରାଣା କହିଛନ୍ତି ମୁଁ ଜାଣିନି ଏହି କଥାଟିକୁ ଏଠାରେ ସାର୍ବଜନୀନ ଭାବେ କହିବା ଉଚିତ ହେବ କି ନାହିଁ। କିନ୍ତୁ ଯେହେତୁ ନିର୍ଦ୍ଦେଶକ ଏସ.ଏସ. ରାଜାମୌଲି ଏବଂ ପ୍ରଯୋଜକ ଶୋବୁ ୟାର୍ଲାଗଡା ଏଠାରେ ଉପସ୍ଥିତ ନାହାନ୍ତି, ମୁଁ ମନର କଥା କହିଦେଉଛି। ବୋଧହୁଏ ସାରା ଦୁନିଆ ଏଥିପାଇଁ ଏବେ ପ୍ରସ୍ତୁତ ନାହିଁ, କିନ୍ତୁ ବାହୁବଳୀର ଏହି ଯାତ୍ରା ଏତିକିରେ ଶେଷ ହେବ ନାହିଁ।
ପ୍ରଭାସ ଦେଖାଇଲେ '୩' ଆଙ୍ଗୁଠି
ରାଣା ଦଗୁବାତୀଙ୍କର ଏହି ବୟାନ ଶୁଣିବା ପରେ ପାଖରେ ବସିଥିବା ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଏବଂ ସୁପରଷ୍ଟାର ପ୍ରଭାସ ହସିବାକୁ ଲାଗିଥିଲେ। କେବଳ ସେତିକି ନୁହେଁ, ପ୍ରଭାସ ହସି ହସି କ୍ୟାମେରା ଆଗରେ ନିଜର ୩ଟି ଆଙ୍ଗୁଠି ଦେଖାଇଥିଲେ। ପ୍ରଭାସଙ୍କର ଏହି ଇସାରାକୁ ଦେଖି ଫ୍ୟାନ୍ସମାନେ ସିଧାସଳଖ ଅନୁମାନ କରୁଛନ୍ତି ଯେ, ଏହା 'ବାହୁବଳୀ ୩'ର ପ୍ରସ୍ତୁତିକୁ ନେଇ ଏକ ବଡ଼ ସଙ୍କେତ।
ଏହି ଭିଡିଓ ସାମ୍ନାକୁ ଆସିବା ପରେ ସିନେମା ପ୍ରେମୀଙ୍କ ଉତ୍ସାହ ଚରମରେ ପହଞ୍ଚିଛି। ତେବେ ଫିଲ୍ମର ନିର୍ଦ୍ଦେଶକ ଏସ.ଏସ. ରାଜାମୌଲି କିମ୍ବା ପ୍ରଯୋଜନା ସଂସ୍ଥା ତରଫରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।