ରାଜ୍ୟର ଗ୍ରାମାଞ୍ଚଳରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ନାମରେ ବଡ଼ ଧରଣର ଦୁର୍ନୀତି ଓ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ଭିଜିଲାନ୍ସ କେନ୍ଦୁଝର, ନୟାଗଡ଼ ଓ ଯାଜପୁର ଜିଲ୍ଲାରେ ବ୍ୟାପକ ତଦନ୍ତ ଆରମ୍ଭ କରିଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୧-୨୨ ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ଗ୍ରାମ ପଞ୍ଚାୟତଗୁଡ଼ିକରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କାମରେ ଅନିୟମିତତା ହୋଇଥିବା ଅଭିଯୋଗ ମିଳିଛି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ଅର୍ଥ ଆୟୋଗ (୫ମ SFC) ଓ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ (BGBO) ଯୋଜନାରୁ ଅର୍ଥ ବ୍ୟୟ କରାଯାଇଥିଲା।
ମାମଲାର ଗୁରୁତ୍ୱକୁ ଦେଖି ଭିଜିଲାନ୍ସ ୮୧ ଜଣ ଅଧିକାରୀଙ୍କୁ ନେଇ ୨୪ଟି ଟିମ୍ ଗଠନ କରିଛି। ଅତିରିକ୍ତ ଏସପି, ଡିଏସପି, ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀମାନେ ଏହି ତଦନ୍ତରେ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ୨୭ ଜଣ ଅଧିକାରୀ ନିୟୋଜିତ ହୋଇ ମାଟିସ୍ତରରେ ଯାଞ୍ଚ କରୁଛନ୍ତି।
ପ୍ରାଥମିକ ତଦନ୍ତରେ ଟେଣ୍ଡର ନିୟମାବଳୀର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ନିୟମ ଅନୁସାରେ ୧୦ଟି ଏଲଇଡି ଲାଇଟ୍ର ଏକ କ୍ଲଷ୍ଟର ପାଇଁ ଏନର୍ଜି ମିଟର, ୫୦୦ ମିଟର କେବୁଲ, MCCB, ଆଇ ହୁକ୍, ସସପେନ୍ସନ କ୍ଲାମ୍ପ, ଡେଡ୍ ଏଣ୍ଡ କ୍ଲାମ୍ପ ଏବଂ ଫଟୋ ସ୍ୱିଚ୍ ଟାଇମର ଲଗାଯିବା କଥା। କିନ୍ତୁ ଅନେକ ସ୍ଥାନରେ ଏହି ସାମଗ୍ରୀ ଲଗାଯାଇନଥିବା ବେଳେ ବିଲ୍ରେ ସବୁକିଛି ସ୍ଥାପନ ହୋଇଥିବା ଦର୍ଶାଯାଇଛି।
ଫଳରେ ସରକାରୀ ଅର୍ଥର ବ୍ୟାପକ ଅପବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ଭିଜିଲାନ୍ସର ଟେକ୍ନିକାଲ ଟିମ୍ ତିନୋଟି ଜିଲ୍ଲାର ୫୦ଟି ସ୍ଥାନରେ ସ୍ପଟ୍ ଭେରିଫିକେସନ କରୁଛି। ପ୍ରକୃତରେ କେତେ ଟଙ୍କା ହଡ଼ପ ହୋଇଛି ଓ ଏଥିରେ କେଉଁ ସରକାରୀ ଅଧିକାରୀ ଏବଂ ଘରୋଇ ସଂସ୍ଥା ଜଡିତ ଅଛନ୍ତି, ତାହା ଖୋଜାଯାଉଛି।
ଏହି ତଦନ୍ତର ଫଳାଫଳ ଆସିବା ପରେ ଓଡ଼ିଶାର ସମ୍ପ୍ରତିକ ସମୟର ଏକ ବଡ଼ ଦୁର୍ନୀତି ମାମଲାର ପର୍ଦ୍ଦାଫାସ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଭିଜିଲାନ୍ସର ତନାଘନା ଆଗକୁ କେଉଁ ଦିଗକୁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।