ଟିଟିଲାଗଡ଼: ଶିକ୍ଷାଦାନ ବଦଳରେ ଗଞ୍ଜେଇ ଚାଲାଣ କରୁଛନ୍ତି ଶିକ୍ଷକ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ସରକାରୀ ଶିକ୍ଷକ ଗିରଫ ହୋଇଛନ୍ତି । କଳାହାଣ୍ଡିରୁ ୨ ଜଣ ଗିରଫ ହୋଇଥିବାବେଳେ ଭୁବନେଶ୍ୱରରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଶିକ୍ଷକମାନେ ହେଲେ କିଶୋର କୁମାର, ଜିତୁ ସାହୁ ଓ ଦୁର୍ବାଶା ନାୟକ ।
ଗୋଟିଏ କାରରେ କଳାହାଣ୍ଡିରୁ ବଲାଙ୍ଗୀର ଗଞ୍ଜେଇ ଚାଲାଣ ହେଉଥିବା ଟିଟିଲାଗଡ଼ ଓ ତୁଷୁରା ଅବକାରୀ ଟିମକୁ ଖବର ମିଳିଥିଲା । ଏହା ପରେ ଅବକାରୀ ଟିମ୍ ୨୬ ନଂ ଜାତୀୟ ରାଜପଥ ବରଗାଁ ଛକରେ କାରକୁ ଧରିଥିଲା । ଉକ୍ତ କାରରୁ ୩୩ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା । ଏହା ସହିତ ତିନି ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଲେ କିଶୋର କୁମାର, ଜିତୁ ସାହୁ ଓ ସଞ୍ଜୟ ବାଗ୍ । କିଶୋର କୁମାର ଓ ଜିତୁ ସାହୁ ଶିକ୍ଷକ ବୋଲି କହିଛନ୍ତି । କଳାହାଣ୍ଡି ଏମ୍.ରାମପୁର ଥାନା ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଟନ୍ତି ।
ସେହିପରି କ୍ରାଇମବ୍ରାଞ୍ଚ ଏସଟିଏଫକୁ ମଧ୍ୟ ବଡ଼ ସଫଳତା ମିଳିଛି । କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ୍ କରିଛି । ଗଞ୍ଜେଇ ଚୋରାଚାଲାଣର ମାଷ୍ଟରମାଇଣ୍ଡକୁ ଗିରଫ କରିଛି । କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ଅନୁସାରେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକୁ ଧରିବାକୁ ଏକ ଗୁପ୍ତ ଅପରେସନ୍ ଚାଲିଥିଲା । ଶେଷରେ ମାଷ୍ଟରମାଇଣ୍ଡ ଦୁର୍ବାଶା ନାୟକ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ୧୦ ଟଙ୍କିଆ ନୋଟ୍ ଧରାଇ ଦେଇଛି ।
ଗତ ୨୪ ତାରିଖରେ ଆଠଗଡ଼ ନିକଟରୁ ୧୯୦ କିଲୋଗ୍ରାମ ଜବତ ହୋଇଥିଲା । ଆଠଗଡ଼ରୁ ଧରାପଡ଼ିଥିବା ଅଭିଯୁକ୍ତଙ୍କ ନିକଟରୁ ୧୦ ଟଙ୍କିଆ ନୋଟ୍ର ଅଧା ଅଂଶ ଜବତ କରାଯାଇଛି । ବାକି ଅଧା ଅଂଶ ଦେଖାଇବା ବ୍ୟକ୍ତିଙ୍କୁ ଗଞ୍ଜେଇ ଦେବାକୁ ନିର୍ଦ୍ଦେଶ ଥିଲା । ଆଜି ଗିରଫ ୪ ଅଭିଯୁକ୍ତଙ୍କ ନିକଟରୁ ଅଧା ଚିରା ୧୦ ଟଙ୍କିଆ ନୋଟ୍ ଜବତ କରାଯାଇଛି । ତେବେ ଅଭିଯୁକ୍ତ ଦୁର୍ବାଶା ନାୟକ ମଧ୍ୟ ଜଣେ ଶିକ୍ଷକ ବୋଲି ଜଣାପଡ଼ିଛି ।