ଭୁବନେଶ୍ୱର: ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ତ୍ରୁଟିକୁ ନେଇ ସରକାର ନେଇଛନ୍ତି କଡ଼ା ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଗଠିତ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଥିବା ତଦନ୍ତ କମିଟି ରିପୋର୍ଟ ଦାଖଲ କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଛି।
ତଦନ୍ତ ରିପୋର୍ଟ ଆଧାରରେ ପୂର୍ବତନ ଡିରେକ୍ଟର ଅଫ୍ ଟିଚର୍ସ ଟ୍ରେନିଂ ଏବଂ SCERT ମନୋଜ ପାଢ଼ୀଙ୍କ ସମେତ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତ ମିଶ୍ର, ଦିଲୀପ କୁମାର ସାହୁ ଏବଂ ଭାରତୀ ଟୁଡୁଙ୍କୁ ନିଲମ୍ବନ କରାଯାଇଛି। ସେହିପରି ଆଉ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
କେବଳ ଦାୟୀଙ୍କ ବିରୋଧରେ ଆକ୍ସନ୍ ନୁହେଁ, ଭବିଷ୍ୟତରେ ଏଭଳି ଭୁଲ ନ ହେବା ପାଇଁ କମିଟି ୧୪ଟି ସୁପାରିଶ ମଧ୍ୟ କରିଛି। ଏହା ଅନୁଯାୟୀ SCERT ପକ୍ଷରୁ ମାଷ୍ଟର ଏରାଟା ରେଜିଷ୍ଟର ପ୍ରସ୍ତୁତ କରାଯିବ। ପାଠ୍ୟପୁସ୍ତକରେ ଥିବା ସମସ୍ତ ତ୍ରୁଟି ସଂଶୋଧନ କରି ସଠିକ୍ ସୂଚନା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ। ଏହାସହ ଏକ କ୍ୱାଲିଟି ଆଶ୍ୱରାନ୍ସ ସେଲ୍ ଗଠନ କରାଯିବ।
ସରକାର ସ୍ପଷ୍ଟ କରିଛନ୍ତି ଯେ, ଭାଷା, ତଥ୍ୟ, ଚିତ୍ର ଓ ଡିଜାଇନ୍ ସମ୍ପୂର୍ଣ୍ଣ ଯାଞ୍ଚ ଓ ଅନୁମୋଦନ ବିନା ଆଉ କୌଣସି ପାଠ୍ୟପୁସ୍ତକ ଛାପାଯିବ ନାହିଁ। ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ଅତୁଟ ରଖିବା ଏବଂ ପାଠ୍ୟପୁସ୍ତକର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।