ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟକୁ ନେଇ ଆସିଥିବା ଦାନ ଚୋରିର ସଙ୍ଗୀନ ଅଭିଯୋଗ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିବାଦ ଦିନକୁ ଦିନ ଘନେଇବାରେ ଲାଗିଥିବା ବେଳେ, ରାମ ଜନ୍ମଭୂମି ମାମଲାରେ ହିନ୍ଦୁ ପକ୍ଷରୁ ସୁପ୍ରିମକୋର୍ଟରେ ପ୍ରମୁଖ ଆଇନଗତ ଲଢ଼େଇ ଲଢ଼ିଥିବା ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଏହାକୁ ନେଇ ଗଭୀର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଯଦି ଏହି ଅଭିଯୋଗରେ ସତ୍ୟତା ଅଛି, ତେବେ ଏହାର ଏକ ନିରପେକ୍ଷ ତଦନ୍ତ ହେବା ଉଚିତ ଏବଂ ଦୋଷୀଙ୍କୁ ଆଇନ ଅନୁସାରେ କଠୋର ଦଣ୍ଡ ମିଳିବା ଦରକାର।
ଭାବି ନଥିଲି ଏମିତି ଦିନ ଆସିବ
ନିଜର ପ୍ରତିକ୍ରିୟା ରଖି ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, ରାମ ମନ୍ଦିର ଟ୍ରଷ୍ଟକୁ ନେଇ ବର୍ତ୍ତମାନ ସୁଦ୍ଧା ଯେଉଁସବୁ ତଥ୍ୟ ସାମ୍ନାକୁ ଆସିଛି, ସେଥିରେ ଆମକୁ ଗଭୀର ଆଘାତ ଲାଗିଛି। ଯେତେବେଳେ ଆମେ ବର୍ଷ ବର୍ଷ ଧରି କୋର୍ଟରେ ଏହି ଆଇନଗତ ସଂଗ୍ରାମ କରୁଥିଲୁ, ଆମର ଏକମାତ୍ର ଉଦ୍ଦେଶ୍ୟ ଥିଲା ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବା, ଯାହା ସାରା ବିଶ୍ୱ ପାଇଁ ଏକ ଆଦର୍ଶ ହେବ। କିନ୍ତୁ ଆଜି ବିଭିନ୍ନ ଗଣମାଧ୍ୟମ ଜରିଆରେ ଟ୍ରଷ୍ଟ, ଟ୍ରଷ୍ଟି ଏବଂ କର୍ମଚାରୀଙ୍କ ବିରୋଧରେ ଆସୁଥିବା ଆର୍ଥିକ ଅନିୟମିତତାର ଅଭିଯୋଗ ଶୁଣିବା ପରେ ବହୁତ ନିରାଶା ଲାଗୁଛି। ଆମେ କେବେ କଳ୍ପନା ସୁଦ୍ଧା କରିନଥିଲୁ ଯେ ଜୀବନରେ ଏଭଳି ଏକ ଦିନ ବି ଦେଖିବାକୁ ପଡ଼ିବ।
ଖସିପାରିବେନି ଦୋଷୀ, ହେବ SIT ତଦନ୍ତ
ବିଷ୍ଣୁ ଶଙ୍କର ଜୈନ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ରୁଜୁ ହୋଇଥିବା ଏଫ୍ଆଇଆର୍ ମଧ୍ୟରେ ହିଁ କେବଳ ଏହି ତଦନ୍ତ ସୀମିତ ରହିବ ନାହିଁ। ଏସଆଇଟି ଏବଂ ପୋଲିସର ତଦନ୍ତ ପ୍ରକ୍ରିୟା ଚାଲିଥିବା ସମୟରେ ଯଦି ଅନ୍ୟ କୌଣସି ବ୍ୟକ୍ତି ବା ଅଧିକାରୀଙ୍କ ସଂପୃକ୍ତି ସାମ୍ନାକୁ ଆସେ, ତେବେ ସେମାନଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯିବ। ବର୍ତ୍ତମାନ ଯାହାର ନାମ ଏଫ୍ଆଇଆର୍ରେ ନାହିଁ, ସେ ଯେ ଆଗକୁ ବଞ୍ଚିଯିବେ ତାହା ନୁହେଁ। ତଦନ୍ତକାରୀ ସଂସ୍ଥା ପାଖରେ ସମ୍ପୂର୍ଣ୍ଣ କ୍ଷମତା ରହିଛି ଏବଂ ପ୍ରତିଟି ଦିଗରୁ ଏହାର ଯାଞ୍ଚ କରାଯିବା ଆବଶ୍ୟକ।
Also Read: ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲା, ଇସ୍ତଫା ଦେଲେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଅନିଲ ମିଶ୍ର