ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରୁ ଦାନଅର୍ଥ ଚୋରି ମାମଲାରେ ବଡ ଖବର ସାମ୍ନାକୁ ଆସିଛି । ଏଫଆଇଆର ପରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଅନିଲ ମିଶ୍ର ଇସ୍ତଫା ଦେଇଛନ୍ତି । ଏହି ଦୁଇ ବ୍ୟକ୍ତିଙ୍କ ବ୍ୟତୀତ ଗୋପାଳ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ଏହି ମାମଲାରେ ୮ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସାରିଛି । ତଥାପି ଏହି ସମ୍ବେଦନଶୀଳ ଘଟଣାରେ ସଂପୃକ୍ତ ଥିବା ବଡ ବଡିଆଙ୍କୁ ବଞ୍ଚା ଯାଉଥିବା ବିରୋଧୀ ଅଭିଯୋଗ କରିଛନ୍ତି ।
ଗୁରୁବାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆଠ ଜଣଙ୍କ ବିରୋଧରେ ଏଫଆଇଆର ହୋଇଥିଲା । ଟ୍ରଷ୍ଟର ସଦସ୍ୟ କୃଷ୍ଣ ମୋହନଙ୍କ ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଜି ଗିରଫ ହୋଇଥିବା ୮ ଅଭିଯୁକ୍ତ ହେଉଛନ୍ତି ରାମଶଙ୍କର ଯାଦବ ଓରଫ ଟିନ୍ନୁ ଯାଦବ, ଅନୁକଳ୍ପ ମିଶ୍ର, ଅବିନାଶ ଶୁକ୍ଳା, କରୁଣେଶ ପାଣ୍ଡେ, ଲବକୁଶ ମିଶ୍ର, ରମାଶଙ୍କର ମିଶ୍ର, ସୁଭାଷ ଶ୍ରୀବାସ୍ତବ ଓ ମନୀଷ କୁମାର ଯାଦବ । ପୋଲିସ ଏ ସମସ୍ତଙ୍କୁ ନିଜ ହେପାଜତରେ ରଖି ପଚରା ଉଚୁରା ଚଳାଇଛି ।
ଏହା ପୂର୍ବରୁ ପ୍ରାରମ୍ଭିକ ରିପୋର୍ଟରେ ଏସଆଇଟି ଟ୍ରଷ୍ଟ ଓ ପଦାଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲା । କିଣାବିକା, ନିର୍ମାଣ, ଦାନପାତ୍ରରେ ଜମା ଅର୍ଥ, ଆଭୂଷଣ, ରତ୍ନ ତଥା ଚଢା ଯାଉଥିବା ସାମଗ୍ରୀର ଗଣନାର ପ୍ରକ୍ରିୟା ଓ ଅଡିଟ୍ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଏବେ ସିସିଟିଭି ଫୁଟେଜରୁ ଦାନପାତ୍ର ଖୋଲିବା, ଗଣନା କକ୍ଷ ପର୍ଯ୍ୟନ୍ତ ଗଣନାର ସ୍ଥିତିର ସବୁ ଯାଞ୍ଚ କରାଯିବ । ଯେ ପର୍ଯ୍ୟନ୍ତ କୌଣସି ଫୁଟେଜ ନ ମିଳିଛି ସେ ପର୍ଯ୍ୟନ୍ତ ଅଭିଯୋଗ ପ୍ରମାଣ କରିବା ମୁସ୍କିଲ ହେବ ଏସଆଇଟି ପକ୍ଷରୁ କୁହାଯାଇଛି ।
ବଢ଼ୁଛି ରାଜନୀତି
ରାମ ମନ୍ଦିର ଭଳି ଏକ ସମ୍ବେଦନଶୀଳ ଏବଂ ପବିତ୍ର ସ୍ଥାନରୁ ଦାନ ଅର୍ଥ ଚୋରି ମାମଲା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ପକ୍ଷରୁ ଏହାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ସେପଟେ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାରେ ନିରପେକ୍ଷ ତଦନ୍ତ କରାଯାଉଛି ଏବଂ କୌଣସି ବି ଦୋଷୀଙ୍କୁ ଆଦୌ ଛଡ଼ାଯିବ ନାହିଁ।
Also Read: ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ଚୋରି: ୮ ଗିରଫ, କୋର୍ଟ ଚାଲାଣ ପ୍ରସ୍ତୁତି ସହ ରିମାଣ୍ଡରେ ନେବ ପୋଲିସ