ନୂଆଦିଲ୍ଲୀ: ଦୀର୍ଘ ଏକ ବର୍ଷ ପରେ ‘ଅପରେସନ ସିନ୍ଦୂର’ରେ ସହିଦ ହୋଇଥିବା ଭାରତୀୟ ଯୋଦ୍ଧାଙ୍କ ନାମ ସାର୍ବଜନୀନ କରିଛନ୍ତି କେନ୍ଦ୍ର ସରକାର । ସୀମାପାର ଯୁଦ୍ଧରେ ୬ ବୀର ଯବାନ ନିଜ ପ୍ରାଣବଳୀ ଦେଇଥିବା ସ୍ପଷ୍ଟ ହୋଇଛି । ସହିଦଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକୀ ବା ନାସନାଲ୍ ୱାର୍ ମେମୋରିଆଲରେ ସ୍ଥାନ ପାଇଛି ।
ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଯବାନ ହେଲେ ୧୦ ଇନଫାଣ୍ଟ୍ରି ବ୍ରିଗେଡ୍ ମୁଖ୍ୟାଳୟର ସୁବେଦାର ମେଜର ପୱନ କୁମାର, ୪ ଜମ୍ମୁ କାଶ୍ମୀର ଲାଇଟ୍ ଇନଫାଣ୍ଟ୍ରିର ବୀର ଚକ୍ରରେ ସମ୍ମାନୀତ ରାଇଫଲମ୍ୟାନ୍ ସୁନୀଲ କୁମାର, ୫ ଫିଲ୍ଡ ଲେଜିମେଣ୍ଟର ଲାନ୍ସ ନାଏକ ଦିନେଶ କୁମାର, ୮୫୧ ଲାଇଟ୍ ରେଜିମେଣ୍ଟର ଅଗ୍ନିବୀର ମୂରଲୀ ନାଏକ, ୨୩୭ ଫିଲ୍ଡ ୱାର୍କସପ୍ କମ୍ପାନୀର ହାବିଲଦାର ସୁନୀଲ କୁମାର ସିଂ ଓ ବାୟୁସେନାର ବାୟୁ ପଦକଧାରୀ ସର୍ଜେଣ୍ଟ ସୁରେନ୍ଦ୍ର କୁମାର ।
୨୦୨୫ ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀମାନେ ଧର୍ମ ନାମରେ ନରସଂହାର କରିଥିଲେ । ଯେଉଁଥିରେ ଜଣେ ନେପାଳୀ ନାଗରିକଙ୍କ ସମେତ ୨୭ ଜଣଙ୍କର ପ୍ରାଣ ଯାଇଥିଲା । ଯାହାର ପ୍ରତିଶୋଧ ସ୍ୱରୂପ ଭାରତ ସରକାର ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲେ । ୨୦୨୫, ମେ ୬-୭ ତାରିଖ ରାତିରେ ଭାରତୀୟ ସେନା ସୀମା ପାର୍ କରି ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିଲା । ଏହି ଯୁଦ୍ଧ ୪ ଦିନ ଧରି ଚାଲିଥିଲା । ଭାରତର ବିଶ୍ୱରୂପକୁ ସାରା ବିଶ୍ୱ ଦେଖି ଚକିତ ହୋଇଥିଲା । ଶେଷରେ ଅନୁରୋଧ କ୍ରମେ ‘ଅପରେସନ୍ ସିନ୍ଦୂର’ ଅଭିଯାନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ ଭାରତ ସରକାର ।