ମୟୂରଭଞ୍ଜ: ମୟୁରଭଞ୍ଜରେ ଚାଞ୍ଚଲ୍ୟ । ନାବାଳିକା ଝିଅ ସହ ମାଆଙ୍କୁ ବିଭତ୍ସ ହତ୍ୟା । ମହୁଲଡିହା ଥାନା ଅନ୍ତର୍ଗତ ତରାମରା ଗ୍ରାମପଞ୍ଚାୟତ ଡକେଇପାଳ ଗ୍ରାମରେ ଘଟିଛି ଏଭଳି ଘଟଣା । ମୃତା ମହିଳା ହେଲେ ମୁକ୍ତାଝରୀସାହିର ଚୈତନ୍ୟ ଟୁଡୁଙ୍କ ସ୍ତ୍ରୀ ସୀତାମଣି ଟୁଡୁ (୩୦) ଏବଂ ଝିଅ ଜବାମଣି ଟୁଡୁ (୮)।
ଚୈତନ୍ୟଙ୍କ କହିବା ଅନୁସାରେ, ସେ ସକାଳେ ନିଜ କାମରେ ବାହାରକୁ ଯାଇତିଲେ । ଅପରାହ୍ନ ୨ଟା ସମୟରେ ଘରକୁ ଫେରି କବାଟ ବାଡ଼େଇବା ବେଳକୁ କେହି ଖୋଲି ନ ଥିଲେ । କବାଟ ଭିତର ପାର୍ଶ୍ୱରୁ ବନ୍ଦ ଥିଲା । ସେ ସିଡ଼ି ଲଗାଇ ଦେଖିବା ବେଳକୁ ସ୍ତ୍ରୀ ସୀତାମଣି ଏବଂ ଜବାମଣି ଶୋଇଛନ୍ତି। ଏହା ପରେ ସେ ଭିତର ପାର୍ଶ୍ୱକୁ ଯାଇ ଭଲ ଭାବରେ ଦେଖିବା ବେଳେକୁ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ମାଆ ଓ ଝିଅ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି ଏବଂ ଉଭୟଙ୍କୁ ଲୁଗାରେ ଢାଙ୍କି ଦିଆଯାଇଛି ।
ଖବର ପାଇ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାଏକ, ମହୁଲଡିହା ଥାନା ଅଧିକାରୀ ତୁଷାର ନାୟକ ଓ ଏଏସ୍ଆଇ ସନ୍ତୋଷ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଝିଅର ବେକ ଏକ ଧାରୁଆ ଅସ୍ତ୍ରରେ କଟାଯାଇଛି । ତେବେ ଏ ହତ୍ୟାକାଣ୍ଡ କେମିତି ଘଟିଲା ତାହା ଜଣାପଡ଼ିନଥିବାବେଳେ ପୋଲିସ ମୃତ ଦେହକୁ ଜବତ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବା ପରେ ପ୍ରକୃତ ଘଟଣା ଉପରୁ ପରଦା ହଟିବ ।